ଭୁବନେଶ୍ୱର, ୨୩ା୫(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟିକୁ ଆସନ୍ତା ୨୭ ପରିବର୍ତ୍ତେ ୨୬ ତାରିଖରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ସେ ଶୁକ୍ରବାର ଅନୁମୋଦନ ଦେଇଛନ୍ତି। ତେଣୁ ଛୁଟି ତାରିଖକୁ ପରିବର୍ତ୍ତନ କରାଯାଇ ୨୭ ତାରିଖରେ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ଖୋଲା ରଖିବାକୁ ଘୋଷଣା କରିଛନ୍ତି। ଏହି କ୍ରମରେ ଆସନ୍ତା ୨୬ରେ ସରକାରୀ ଛୁଟି ଘୋଷଣା କରାଯାଇଛି। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। ଏହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟେରିଆଲ କୋର୍ଟ ବନ୍ଦ ରଖାଯିବ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ ମାସ ୨୭ ତାରିଖକୁ ସ୍ଥିରୀକୃତ ହୋଇଥିଲା। ହେଲେ ପୁରୀ ମୁକ୍ତି ମଣ୍ଡପ, ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଓ ପଞ୍ଜିକା ଗଣନକାରୀ ଅନୁଷ୍ଠାନଗୁଡ଼ିକ ସହ ଯୋଗାଯୋଗ ପରେ ଏହା ଜଣାଯାଇଛି। ୨୬ ତାରିଖରେ ହିଁ ସାବିତ୍ରୀ ଅମାବାସ୍ୟା ପାଳନ କରାଯିବ।


