ଥୁଆମୂଳ ରାମପୁର, ୨୦।୪ (ଦୁର୍ଗା କୀର୍ତ୍ତି ): କଳାହାଣ୍ଡି ଏବଂ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ସିଜିମାଳି ପାହାଡ଼ ଏବେ ଅଶାନ୍ତ ହୋଇପଡ଼ିଛି। ବେଦାନ୍ତ କମ୍ପାନୀ ପାଇଁ ସ୍ଥାନୀୟ ନିରୀହ ଆଦିବାସୀଙ୍କ ଉପରେ ଚାଲିଥିବା ପ୍ରଶାସନିକ ଦମନ ଲୀଳା ଏବେ ଚରମସୀମାରେ ପହଞ୍ଚିଛି। କଳାହାଣ୍ଡି ଏମ୍ପି ମାଳବିକା ଦେବୀ ଏବଂ କୋରାପୁଟ ଏମ୍ପି ସପ୍ତଗିରି ଉଲାକା ଏହି ପ୍ରସଙ୍ଗରେ ଦିଲ୍ଲୀ ଦରବାରରେ ସ୍ବର ଉତ୍ତୋଳନ କରିଥିବାବେଳେ ରାଜ୍ୟ ସଭା ଏମ୍ପି ସସ୍ମିତ ପାତ୍ର ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।
କଳାହାଣ୍ଡି ଏମ୍ପି ମାଳବିକା ଦେବୀ ସିଜିମାଳି ଅଞ୍ଚଳରେ ଚାଲିଥିବା ଅଶାନ୍ତିକୁ ନେଇ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସିଜିମାଲି ପାହାଡ଼ ସେଠାକାର ଆଦିବାସୀଙ୍କ ସାଂସ୍କୃତିକ ପରିଚୟ ଓ ଜୀବନଜୀବିକାର ଆଧାର ହୋଇଥିବାରୁ ସେମାନଙ୍କ ସମ୍ମତି ବିନା କୌଣସି ପ୍ରକଳ୍ପକୁ ଆଗକୁ ବଢ଼ାଯିବା ଅନୁଚିତ ବୋଲି ସେ ଦର୍ଶାଇଛନ୍ତି। ବିଶେଷ କରି ପରିବେଶ ମଞ୍ଜୁରୀର ପୁନଃସମୀକ୍ଷା, ଗ୍ରାମସଭା ସମ୍ମତିର ସତ୍ୟାସତ୍ୟ ଯାଞ୍ଚ ଏବଂ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ସେ କଡ଼ା ଦାବି କରିଛନ୍ତି।
କୋରାପୁଟ ଏମ୍ପି ସପ୍ତଗିରି ଉଲାକା ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ସହ ପ୍ରଭାବିତ ଗ୍ରାମଗୁଡ଼ିକ ପରିଦର୍ଶନ କରି ପ୍ରଶାସନର କଳା କାରନାମା ପଦାରେ ପକାଇଛନ୍ତି। ୨୦୨୩ ଡିସେମ୍ବର ମାସରେ ହୋଇଥିବା ୮ଟି ଗ୍ରାମସଭା ଜାଲ ଏବଂ କପୋଳକଳ୍ପିତ ବୋଲି ସେ ପ୍ରେସ ବିବୃତ୍ତିରେ ଅଭିଯୋଗ କରିଛନ୍ତି। ଏଥିସହିତ ଗତ ୬ ଅପ୍ରିଲ ବିଳମ୍ବିତ ରାତି ୩ଟାରେ ପୋଲିସ ବିଦ୍ୟୁତ କାଟି ଗ୍ରାମବାସୀଙ୍କ ଉପରେ ଯେଉଁ ବର୍ବର ଆକ୍ରମଣ କରିଛି, ତାହାକୁ ସେ ତୀବ୍ର ନିନ୍ଦା କରିଛନ୍ତି।
ଅପରପକ୍ଷରେ, ବିଜେଡି ଏମ୍ପି ସସ୍ମିତ ପାତ୍ର ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ (NCST) ନିକଟରେ ମାମଲା ରୁଜୁ କରି ଆଦିବାସୀଙ୍କ ଉପରେ ଚାଲିଥିବା ଅତ୍ୟାଚାରର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି, ଯାହା ଫଳରେ କମିଶନ ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି।
ସିଜିମାଳିରୁ ଆସୁଥିବା ଖବର ଅନୁଯାୟୀ, କମ୍ପାନୀ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ୪୦ରୁ ଅଧିକ ଆନ୍ଦୋଳନକାରୀ ପୋଲିସ ଲାଠି ମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ପୋଲିସ ନିରୀହ ଆଦିବାସୀଙ୍କୁ ଜୋରଜବରଦସ୍ତ ଗିରଫ କରୁଥିବାବେଳେ ହଜାର ହଜାର ଲୋକ ନିଜର ଭିଟାମାଟି ରକ୍ଷା ପାଇଁ ଦିନରାତି ପାହାଡ଼ ଜଗି ରହିଛନ୍ତି। ସ୍ଥାନୀୟ ମହିଳାମାନେ ମଧ୍ୟ ପୋଲିସର ‘ଦମନ ଲୀଳା’ ଶିକାର ହେଉଥିବା ଚିତ୍ର ସାମ୍ନାକୁ ଆସିଛି। ପାହାଡ଼ର ଗ୍ରାମବାସୀଙ୍କ ଗୋଟିଏ ଜିଦ- “ଆମ ଜୀବନ ଯିବ ପଛେ ଜିତାମାଟି ଛାଡ଼ିବୁ ନାହିଁ”। ନିୟମଗିରି ଢାଞ୍ଚାରେ ସିଜିମାଲିରେ ମଧ୍ୟ ଏକ ସ୍ବଚ୍ଛ ଗ୍ରାମସଭା ପ୍ରକ୍ରିୟା ଏବଂ ନିରୀହ ଲୋକଙ୍କ ଉପରୁ ମିଥ୍ୟା ମାମଲା ପ୍ରତ୍ୟାହାର କରିବା ପାଇଁ ସର୍ବଦଳୀୟ ଏମ୍ପିମାନେ ଏକଜୁଟ ହେବା ସିଜିମାଲି ଆନ୍ଦୋଳନକୁ ଏକ ନୂଆମୋଡ଼ ଦେଇଛି।