ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି । ବିଲ୍ ଗୃହୀତ କରାଇବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ୩୭୧ ଲୋକ ସଭା ସଦସ୍ୟଙ୍କ ସମର୍ଥନ ଥିବା ରବିବାର ଜଣେ ବରିଷ୍ଠ ସରକାରୀ କାର୍ଯ୍ୟକର୍ତ୍ତା କହିଥିବା ପିଟିଆଇ ଦର୍ଶାଇଛି । ସରକାରୀ ଅଧିକାରୀ ଜଣକ ଆହୁରି ଦର୍ଶାଇଛନ୍ତି ଯେ, ପ୍ରସ୍ତାବିତ ପ୍ରକ୍ରିୟାରେ ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କାର୍ଯ୍ୟକାରୀ ହେବା ସହ ଅନୁସୂଚିତ ଜାତି (ଏସ୍ସି) ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଥିବା ଆସନରେ ମଧ୍ୟ ୫୦ ପ୍ରତିଶତ ବୃଦ୍ଧି କରାଯିବ। ସୀମା ପୁନଃ ନିର୍ଦ୍ଧାରଣ ପାଇଁ ପ୍ରସ୍ତାବିତ କମିଶନରେ ଜଣେ ଅଧ୍ୟକ୍ଷ, ମୁଖ୍ୟ ନିର୍ବାଚନ କମିଶନର କିମ୍ବା ଜଣେ ନିର୍ବାଚନ କମିଶନର ଏବଂ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ରହିବେ। ଡିଏମ୍କେ, ଏନ୍ସିପି(ଏସ୍ପି), ବିଆର୍ଏସ୍ ଏବଂ ଅନ୍ୟ ଦଳ ସମେତ ଟିଏମ୍ସିରୁ ଅଲଗା ହୋଇଥିବା ୨୦ ଜଣ ଏମ୍ପିଙ୍କ ସମର୍ଥନ ସହ ଏନ୍ଡିଏ ସଂଖ୍ୟାଗରିଷ୍ଠତାର ନିକଟତର ହୋଇଛି। ଏନ୍ଡିଏ ପ୍ରତି ସମର୍ଥନ ସଂଖ୍ୟା ୩୭୧ରେ ପହଞ୍ଚତ୍ପାରେ ବୋଲି ଅଧିକାରୀ ଜଣକ କହିଛନ୍ତି। ବର୍ତ୍ତମାନ ୫୪୦ ସଦସ୍ୟ ବିଶିଷ୍ଟ ଲୋକ ସଭାରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ୩୬୦ ଏମ୍ପିଙ୍କ ସମର୍ଥନ ଆବଶ୍ୟକ।
ସମ୍ବିଧାନ (୧୩୨ତମ ସଂଶୋଧନ) ବିଲ୍, ୨୦୨୬ରେ ଲୋକ ସଭାର ସର୍ବାଧିକ ସଦସ୍ୟ ସଂଖ୍ୟା ୮୫୦କୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ବିଭିନ୍ନ ରାଜ୍ୟରୁ ୮୧୫ ସଦସ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ୩୫ ସଦସ୍ୟ ନିମ୍ନ ସଦନକୁ ନିର୍ବାଚିତ ହେବେ। ସେହିପରି ରାଜ୍ୟ ବିଧାନସଭାଗୁଡ଼ିକର ସଦସ୍ୟ ସଂଖ୍ୟା ୫୦୦ରୁ ସର୍ବାଧିକ ୬୫୦କୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ସଂଶୋଧିତ ଆସନ ଆବଣ୍ଟନ ଏବଂ ନିର୍ବାଚନମଣ୍ଡଳୀ ସୀମା ୨୦୫୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ସରକାର କହିଛନ୍ତି ସବୁ ରାଜ୍ୟର ଆସନ ସଂଖ୍ୟା ସମାନ ହାରରେ ବୃଦ୍ଧି କରାଯିବାକୁ ଥିବାରୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟରେ ରହିଥିବା ଚନ୍ତା ଦୂର ହେବ। ଜନସଂଖ୍ୟା ସ୍ଥିରୀକରଣ କ୍ଷେତ୍ରରେ ନିଜର ଅଗ୍ରଗତି ସତ୍ତ୍ୱେ ଲୋକ ସଂଖ୍ୟା ଆଧାରିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଦ୍ୱାରା ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଆପେକ୍ଷିକ ପ୍ରତିନିଧିତ୍ୱ ହ୍ରାସ ପାଇପାରେ ବୋଲି ସେମାନଙ୍କ ମଧ୍ୟରେ ଆଶଙ୍କା ରହିଥିଲା।