ଭଞ୍ଜନଗର,୨୭।୧(ବାବୁଲା ପ୍ରଧାନ)- ମଙ୍ଗଳବାରଠାରୁ ଗୋପାଳପୁର ବେଳାଭୂମି ମହୋତ୍ସବ ଆରମ୍ଭ ହୋଇଛି। ତେଣୁ ଚଳିତ ବର୍ଷ ଏନେଇ ବ୍ୟାପକ ଆୟୋଜନ ହୋଇଥିବା ବେଳେ ମହୋତ୍ସବକୁ ଲୋକାଭିମୁଖୀ କରିବା ସହ ଏହାର ସଫଳତା ପାଇଁ ବିଭିନ୍ନ ଆଧ୍ୟାତ୍ମିକ ପୀଠରୁ ମଶାଲ ଶୋଭଯାତ୍ରାରେ ଜ୍ୟୋତି ଗୋପାଳପୁରକୁ ପଠାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଘୁମୁସରର ଅଧିଷ୍ଠାତ୍ରୀ ଦେବୀ କୁଲାଡ ମା’ ବ୍ୟାଘ୍ରଦେବୀଙ୍କ ପୀଠରୁ ମଧ୍ୟ ମଶାଲ ଯାଇଛି। ଭୋର ସମୟରେ ମନ୍ଦିର ପ୍ରାଙ୍ଗଣରେ ପ୍ରଥମେ ୧୦୮ ଆଳତୀ ଓ ପୂଜାର୍ଚ୍ଚନା ହେବା ପରେ ଜ୍ୟୋତିକୁ ମନ୍ଦିର ବେଢା ପରିକ୍ରମା କରାଯାଇଥିଲା। ଏହାପରେ ଏକ ସ୍ବତନ୍ତ୍ର ଗାଡିରେ ମଶାଲକୁ ଶୋଭାଯାତ୍ରାରେ ଗୋପାଳପୁର ଅଭିମୁଖେ ନିଆଯାଇଥିଲା। ଏହି ସମୟରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଜିଲାପାଳ ଉମା ଶଙ୍କର ବେହେରା, ଅତିରିକ୍ତ ଏସ୍ପି ରଞ୍ଜନ ଦେ,ଏସ୍ଡିପିଓ ଡ.ଦୀପକ କୁମାର ମିଶ୍ର, ଭାଜପା ଭଞ୍ଜନଗର ସାଂଗଠନିକ ଜିଲ୍ଲା ସଭାପତି ନୀଳମାଧବ ପାତ୍ର,ସରପଞ୍ଚ ଭି.ସଂଯୁକ୍ତ ରାଜ,ରାଜୀବ ଲୋଚନ ରାଜୁ, ସଞ୍ଜୟ ପ୍ରଧାନ, ବ୍ରହ୍ମାନନ୍ଦ ଦାସ, ସୁରେଶ ସାହୁ, ଶିବ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ଅବସରରେ ରାସ୍ତାରେ ମଶାଲ ଶୋଭାଯାତ୍ରାକୁ ବିପୁଳ ସ୍ବାଗତ କରାଯାଇଥିଲା ।

