ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮:  କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ ହଜାର ହଜାର ଲୋକ ମାଟି ଖୋଳୁଥିବା ଚିତ୍ର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ସୁନା ମିଳିବା ଆଶାରେ ଦିନକୁ ପ୍ରାୟ ୧୦ ହଜାର ଲୋକ ଏଠାରେ ପହଞ୍ଚୁଛନ୍ତି । ଏହି ସୁନା ଖୋଜା ଅଭିଯାନ କିଛି ଦିନ ପୂର୍ବରୁ ୩୩ ବର୍ଷୀୟ ମାନସେ ଲୋମାଚାରଙ୍କଠାରୁ ଆରମ୍ଭ ହୋଇଥିଲା। ସେ ନିଖୋଜ ଛେଳିକୁ ଖୋଜିବାକୁ ଯାଇଥିବା ବେଳେ ମାଟି ଖୋଳିବା ସମୟରେ ପ୍ରାୟ ୩ ଗ୍ରାମ ସୁନା ପାଇଥିଲେ। ପରେ ସେ ଏହାକୁ ୩୬ ହଜାର କେନିଆ ଶିଲିଂ, ଅର୍ଥାତ୍ ପ୍ରାୟ ୨୮୦ ଡଲାରରେ ବିକ୍ରି କରିଥିଲେ।

ଏହି ଖବର ଚାରିଆଡ଼େ ପ୍ରଚାର ହେବା ପରେ ଚେପୋରୋରରେ ଲୋକଙ୍କ ଭିଡ଼ ବଢ଼ିବାକୁ ଲାଗିଥିଲା। କେହି ମାଟି ଖୋଳୁଛନ୍ତି, ଆଉ କେହି ଖୋଳିବା ସମୟରେ ମିଳୁଥିବା ପଥରକୁ ଭାଙ୍ଗି ସେଥିରୁ ସୁନା ଖୋଜୁଛନ୍ତି । ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ, କିଛି ଯୁବକଙ୍କୁ ବହୁ ପରିମାଣର ସୁନା ମିଳିଥିବା ଖବର ପରେ ଲୋକଙ୍କ ଆଶା ବଢ଼ିଥିଲା। ପରଦିନ କିଛି ମହିଳାଙ୍କୁ ମଧ୍ୟ ଭଲ ପରିମାଣର ସୁନା ମିଳିଥିଲା। ଅଗଷ୍ଟରେ ଅଧିକ ସୁନା ମିଳୁଥିବା ଖବର ପ୍ରଚାରିତ ହେବା ପରେ ଦୂରଦୂରାନ୍ତରୁ ଲୋକେ ଏଠାକୁ ଆସିବା ଆରମ୍ଭ କରିଥିଲେ । କେନିଆରେ ନଦୀକୂଳରୁ ସୁନା ଖୋଜିବା ନୂଆ କଥା ନୁହେଁ । ଦୀର୍ଘଦିନ ଧରି ଲୋକେ ନଦୀକୂଳର ବାଲି ଛାଣି ସୁନା ଖୋଜୁଛନ୍ତି । ତେବେ ଚେପୋରୋରରେ ଏବେ ଏହି ସନ୍ଧାନ ଏକ ବଡ଼ ଆକାର ନେଇଛି।

ଆର୍ଥିକ ସମସ୍ୟା ଓ ଦାରିଦ୍ର୍ୟ ମଧ୍ୟରେ ରହୁଥିବା ଅନେକ ଲୋକ ନିଜ ପରିବାରର ଆବଶ୍ୟକତା, ପିଲାଙ୍କ ସ୍କୁଲ ଫି ଏବଂ ଘରର ଖର୍ଚ୍ଚ ମେଣ୍ଟାଇବା ଆଶାରେ ସୁନା ଖୋଜୁଛନ୍ତି । ତେବେ ଏହି ଭିଡ଼ ଯୋଗୁଁ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାରର ସୁଯୋଗ ସୃଷ୍ଟି ହୋଇଛି । ଗାଁରେ ଆସୁଥିବା ହଜାର ହଜାର ଲୋକଙ୍କ ପାଇଁ ଖାଦ୍ୟ, ରହିବା ଓ ଅନ୍ୟାନ୍ୟ ସାମଗ୍ରୀର ଆବଶ୍ୟକତା ବଢ଼ିବାରୁ କିଛି ଲୋକ ସେଠାରେ ଛୋଟ ଛୋଟ ବ୍ୟବସାୟ ଆରମ୍ଭ କରି ରୋଜଗାର କରୁଛନ୍ତି ।

 

Dharitri – Odisha’s No.1 Odia Daily

Share
Tags: kenya gold