ଗାଁରେ ସୁନାଖଣି, ଲୋକଙ୍କୁ ଜୁଟୁନି ଦାନା

କେନ୍ଦୁଝର,୬ା୧୧(ଦୀପକ ମିଶ୍ର): କେନ୍ଦୁଝର ଜିଲାରେ ଲୁହାପଥର, ମାଙ୍ଗାନିଜ ଆଦି ଖଣି ରହିଛି। ଯାହା ଜିଲାର ଆର୍ଥିକସ୍ଥିତି ସୁଦୃଢ଼ କରୁଥିବା ବେଳେ କିଛି ମାସ ତଳେ ଜିଲାରେ ସୁନା ଖଣିର ସନ୍ଧାନ ମିଳିଛି। ବିଶେଷ କରି ଖଣି ଶୂନ୍ୟ ତେଲକୋଇ ବ୍ଲକ୍‌ ଏବଂ ଅନୁନ୍ନତ ବାଂଶପାଳ ବ୍ଲକ୍‌ରେ ଏହି ସୁନାଖଣି ଥିବାରୁ ଏବେ ଅଞ୍ଚଳରେ ନୂତନ ସମ୍ଭାବନା ସୃଷ୍ଟି ହୋଇଛି। ମାତ୍ର ସୁନା ଖଣି ଥିବା ଗ୍ରାମରେ ଲୋକଙ୍କୁ ଏବେ ଦୁଇ ଓଳି ୨ ମୁଠା ଖାଇବାକୁ ମିଳୁନାହିଁ। ଫଳରେ ସୁନାଖଣି ଖନନ ଆରମ୍ଭ ହେଲେ ଲୋକଙ୍କ ଅର୍ଥିକ ଅବସ୍ଥା ସ୍ବଚ୍ଛଳ ହୋଇ ପାରିବ ବୋଲି ଆଲୋଚନା ହେଉଛି।
ବାଂଶପାଳ ବ୍ଲକ୍‌ ତରମାକାନ୍ତ ପଞ୍ଚାୟତର ଗୋପପୁର ଗାଁରେ ମୋଟ ୧୫୦ ପରିବାର ରୁହନ୍ତି। ଏଠାରେ ଭୂୟାଁ, ମୁଣ୍ଡା, ମହାନ୍ତ, ଗଉଡ଼ ଆଦି ବିଭିନ୍ନ ଜାତିର ଲୋକେ ରହୁଥିଲେ ବି ସମସ୍ତେ ଗରିବ ଶ୍ରେଣୀର। ପ୍ରାୟତଃ ଚାଷବାସ କରି ଗୁଜୁରାଣ ମେଣ୍ଟାଇଥାଆନ୍ତି। ଅନେକେ ମୂଲ ମଜୁରି ଲାଗି ଚଳନ୍ତି। ଗାଁର ବରିଷ୍ଠ ଅନାମ ଦେହୁରୀ, ଦୁର୍ଯ୍ୟୋଧନ ନାୟକଙ୍କ କହିବା ଅନୁଯାୟୀ, ପୂର୍ବେ ଏହି ଗାଁର ଲୋକେ ଗାଁ ପାଖ ଜଙ୍ଗଲରୁ ସୁନା ସଂଗ୍ରହ କରୁଥିଲେ। ଜଙ୍ଗଲରୁ ମାଟି ଖୋଳିବା ପରେ କିଛି ଦ୍ରବ୍ୟ ମିଶା ମାଟି ସଂଗ୍ରହ କରି ତାକୁ ଧୋଇବା ପରେ ସେଥିରୁ ସୁନା ବାହାରୁଥିଲା। ଯାହାକୁ ସ୍ଥାନୀୟ ବଣିଆ ପାଖରେ ବିକ୍ରି କରି ଚଳୁଥିଲେ। ବିଶେଷ କରି ଗାଁ ପାଖ ଜଲପା ନାଳରୁ ପାଛିଆରେ ବାଲି ସଂଗ୍ରହ କରି ସେଥିରୁ ସୁନା ସଂଗ୍ରହ କରୁଥିଲେ। ଗାଁ ପାଖ ଜଙ୍ଗଲରୁ ସୁନା ମିଳୁଥିବାରୁ ଗାଁ ଲୋକେ ଜଙ୍ଗଲକୁ ମଧ୍ୟ ସୁନାଖଣି ଜଙ୍ଗଲ ଭାବେ ସମ୍ବୋଧିତ କରିଥାନ୍ତି। ପରବର୍ତ୍ତୀ ସମୟରେ ଗୋପପୁର ଗାଁର ଲୋକେ ଆଉ ଏହି ପାରମ୍ପରିକ ଭାବେ ସୁନା ସଂଗ୍ରହ କଲେନାହିଁ। ଗାଁରେ ବିଶାଳ ତରମାକାନ୍ତ ଚା ବଗିଚା ମଧ୍ୟ ଥିଲା। ତାହା ବି ବନ୍ଦ ହୋଇଯିବା ପରେ ଲୋକେ କାମ ପାଉନାହାନ୍ତି। ତେଣୁ ଲୋକଙ୍କୁ ୨ ମୁଠା ଦାନା ମଧ୍ୟ ମିଳିବା କଷ୍ଟକର ହୋଇଯାଇଛି।
୨୦୨୨ ମେ ମାସରେ ଗୋପପୁରରେ ସୁନାଖଣିର ସନ୍ଧାନ ମିଳିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାହାକି ପ୍ରାୟ ୬ ମାସ ଧରି ଚାଲିଥିଲା। ସୁନାଖଣିର ସନ୍ଧାନ ମିଳିବା ପରେ ସ୍ଥାନୀୟ ଲୋକେ ଉତ୍ସାହିତ ଅଛନ୍ତି। ସୁନାଖଣି ଖନନ ଆରମ୍ଭ ହେଲେ, ହୁଏତ ଏଠାରେ ନିୟମିତ କାମ ମିଳିପାରେ। ଯାହାକି ସେମାନଙ୍କ ଜୀବନ ଜୀବିକା ନିର୍ବାହରେ ସହାୟକ ହେବ ବୋଲି ଆଶା ରଖିଛନ୍ତି। ଏ ସମ୍ପର୍କରେ ଗାଁ ସମିତି ସଭ୍ୟ ଅଜିତ୍‌ ନାଏକ କୁହନ୍ତି, ସୁନାଖଣି ସନ୍ଧାନ ମିଳିବା ପରେ ଆମେ ଉତ୍ସାହିତ ଅଛୁ। ସରକାର ଯେତେଶୀଘ୍ର କାମ ଆରମ୍ଭ କରିବେ, ଲୋକେ କାମ ପାଇପାରିବେ ବୋଲି ସେ କହିଛନ୍ତି।