ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଗୁରୁବାର କଳା ପଲସର ଆତଙ୍କ ଦେଖିବାକୁ ମିଳିଛି । ଦିନ ଦ୍ବିପହରେ ଘରେ ପଶି ବନ୍ଧୁକ ଦେଖାଇ ଲୁଟେରାମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଲୁଟି ନେଇଛନ୍ତି । ତୁରୁମୁଙ୍ଗା ଥାନା ବାଘମରା ଗ୍ରାମର ଶିକ୍ଷକ ପିତାମ୍ବର ମହାନ୍ତଙ୍କ ଘରୁ ଲୁଟ ହୋଇଛି।
ଘରେ କେହି ନଥିବା ବେଳେ ଲୁଟେରାମାନେ ଘରେ ପଶି ଆଲମିରା ଭାଙ୍ଗି ସୁନା ଗହଣା ଲୁଟି ନେଇଛନ୍ତି । ପିତାମ୍ବର ଗାଧୋଇ ସାରି ଘରକୁ ଆସିବା ବାଟରେ ଲୁଟେରା ଙ୍କ ସହ ମୁହାଁମୁହିଁ ହୋଇଥିଲେ। ପିତାମ୍ବର ଲୁଟକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପରେ ଲୁଟେରାମାନେ ବନ୍ଧୁକ ଦେଖାଇ ଗୁଳି କରିଦେବୁ କହି ତାଙ୍କୁ ଭୟଭୀତ କରାଇ ସୁନା ଗହଣା ଧରି ପଲସରରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପୁଅ ବାହାଘର ପାଇଁ ସୁନା କିଣି ରଖିଥିଲେ ପିତାମ୍ବର । ଘଟଣାକୁ ନେଇ ସମ୍ପୂର୍ଣ୍ଣ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୁଟେରାଙ୍କୁ ଧରିବା ପାଇଁ ଛାନ ଭିନ୍ ଆରମ୍ଭ କରିଛି ।

