ସୁନା ଅଳଙ୍କାର ନେଲା ତାମିଲନାଡ଼ୁ ଆୟକର ବିଭାଗ

ଗୋପାଳପୁର,୨୪ା୧୨(ଡି.ଏନ.ଏ.): ଗତ ଅକ୍ଟୋବର ୨ ତାରିଖରେ ଟିକସ ଫାଙ୍କି ସୁନା ଓ ରୁପା ଅଳଙ୍କାର ତାମିଲନାଡ଼ୁରୁ କାରରେ ବ୍ରହ୍ମପୁର ଆସୁଥିବା ବେଳେ ଗୋଳନ୍ଥରା ଥାନା ପୋଲିସ ଧରିଥିଲା। ଉକ୍ତ ସୁନା ଓ ରୁପା ଅଳଙ୍କାରକୁ ହେପାଜତରେ ରଖି ସିଟି ଆଣ୍ଡ ଜିଏସଟି ଓ ଆୟକର ବିଭାଗକୁ ଖବର ଦିଆଯାଇଥିଲା। ପରେ ଜିଏସଟି ବିଭାଗ ଏହାର ତଦନ୍ତ କରିଥିଲା। ଦୁଇ ମାସ ୨୧ ଦିନ ପରେ ଶୁକ୍ରବାର ତାମିଲନାଡ଼ୁ ସେଲମ ଆୟକର ବିଭାଗର ଆସିଷ୍ଟାଣ୍ଡ ଡାଇରେକ୍ଟର ଏସ. ରାଜା ରାମଣମଙ୍କ ନେତୃତ୍ୱରେ ୩ ଜଣିଆ ଟିମ ଗୋଳନ୍ଥରା ଥାନାରେ ପହଞ୍ଚତ୍ ୪ କେଜି ୬୬୪ ଗ୍ରାମ ସୁନା ଓ ୧୮୫ କେଜି ୫୬୭ ଗ୍ରାମ ରୁପା ଅଳଙ୍କାରର କାଗଜପତ୍ର ଯାଞ୍ଚ କରିଥିଲେ। ରୁପା ଅଳଙ୍କାରର କାଗଜପତ୍ର ଠିକ୍‌ ଥିବା ବେଳେ ୧ କେଜି ୬୬୭ ଗ୍ରାମର ସୁନା ଅଳଙ୍କାରର କାଗଜପତ୍ର ସୁନା ନେଉଥିବା ମାଲିକ ଦେଖାଇ ପାରି ନ ଥିଲେ। ଉକ୍ତ ସୁନା ଅଳଙ୍କାରକୁ ଆୟକର ବିଭାଗ ହେପାଜତକୁ ନେଇଛି। ଅବଶିଷ୍ଟ ସୁନା ଅଳଙ୍କାରର କାଗଜପତ୍ର ଦେଖାଇବା ପରେ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ଥାନାଧିକାରୀ ବିବେକାନନ୍ଦ ମହନ୍ତଙ୍କ ସହ ଏହି ଟିମ ଆଲୋଚନା କରି ଫେରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨ତାରିଖରେ ତାମିଲନାଡ଼ୁ ସେଲମ ଅଞ୍ଚଳର ୪ ଜଣ ବ୍ୟକ୍ତି ବ୍ରହ୍ମପୁର ଆସୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଗୋଳନ୍ଥରା ପୋଲିସ ଥାନା ସମ୍ମୁଖରେ କାରକୁ ଅଟକାଇ ଯାଞ୍ଚ କରିଥିଲା। କାର ପଛ ସିଟରୁ ୪ କେଜି ୬୬୪ ଗ୍ରାମ ସୁନା ଓ ୧୮୫ କେଜି ୫୬୭ ଗ୍ରାମ ରୁପା ଅଳଙ୍କାର ଜବତ କରିଥିଲା। ଏହି ଅଳଙ୍କାର ଟିକସ ଫାଙ୍କି ଚାଲାଣ ହେଉଥିବା ପୋଲିସ ତଦନ୍ତରେ ଜାଣିବାକୁ ପାଇଥିଲା।