ଯାତ୍ରାର ଶେଷଦିନ ପୂର୍ବରୁ ହୁଣ୍ଡି ଭାଙ୍ଗି ସୁନା, ଟଙ୍କା ଲୁଟିନେଲେ

ବ୍ରହ୍ମପୁର ଅଫିସ,୧୧।୫: ବ୍ରହ୍ମପୁରରେ ଚୋରି, ଲୁଟ୍‌ ଏବେ ନିତିଦିନିଆ ଘଟଣା ହୋଇଛି। ବିଶେଷ କରି ବୈଦ୍ୟନାଥପୁର ଥାନା ଅଞ୍ଚଳ ଲୁଟେରାଙ୍କ ଚରାଭୂଇଁ ପାଲଟିଛି। ଏଭଳିସ୍ଥିତିରେ ଏକ ଚୋର ଗ୍ୟାଙ୍ଗ ମଙ୍ଗଳବାର ବିଳମ୍ବିତ ରାତିରେ ଆଙ୍କୁଲିର ପ୍ରସିଦ୍ଧ ମା’ କନକ ଦୁର୍ଗା ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପରେ ଥିବା ହୁଣ୍ଡିରୁ ସୁନା, ରୁପା ଓ ଟଙ୍କା ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ବିଏମ୍‌ସି ୪୦ ନମ୍ବର ୱାର୍ଡ କର୍ପୋରେଟର ତଥା ଯାତ୍ରା କମିଟି ସଭାପତି ଭାଗୀରଥି ମହାରଣା ବୈଦ୍ୟନାଥପୁର ଥାନାରେ ଏକ ଅଭିଯୋଗ କରିଛନ୍ତି।

ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି। ଅସ୍ଥାୟୀ ମଣ୍ଡପ ପଛପଟେ ପଡ଼ିଥିବା ଖାଲି ହୁଣ୍ଡି ଓ ଲୁଟେରାମାନେ ଛାଡ଼ି ଯାଇଥିବା କିଛି ପଇସାକୁ ପୋଲିସ ଜବତ କରିଛି। ସେହିପରି ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌ ପୋଲିସ ସଂଗ୍ରହ କରିଛି।

ସୂଚନାଯୋଗ୍ୟ, ମା’ କନକଦୁର୍ଗାଙ୍କ ୧୫ ଦିନିଆ ଯାତ୍ରା ଏପ୍ରିଲ ୨୭ରୁ ଆରମ୍ଭ ହୋଇଥିଲା। ଅସ୍ଥାୟୀ ମଣ୍ଡପରେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରି ସୁନା, ରୁପା ଓ ଟଙ୍କା ଦାନ କରିଥିଲେ। ମେ ୧୧ ମା’ଙ୍କ ଯାତ୍ରାର ଶେଷ ଦିନ ଥିବା ବେଳେ ଚୋର ଗ୍ୟାଙ୍ଗ ୧୦ ତାରିଖ (ମଙ୍ଗଳବାର) ବିଳମ୍ବିତ ରାତିରେ ଅସ୍ଥାୟୀ ମଣ୍ଡପରେ ଥିବା ହୁଣ୍ଡିରୁ ସୁନା, ରୁପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି।