ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ): ଶାରଦୀୟ ନବରାତ୍ର ପୂଜା ଅବସରରେ ସୋମବାର ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀ ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଇଛନ୍ତି । ଦେବୀଙ୍କୁ ଏହି ବେଶରେ ଦର୍ଶନ ପାଇଁ ସକାଳୁ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତମାନେ ଧୂପ, ଦୀପ ପୁଷ୍ପ ଧରି ମନ୍ଦିରକୁ ଆସିଥିବାବେଳେ ଭକ୍ତମାନଙ୍କ ଦ୍ଵାରା ମାନସିକ ଅଖଣ୍ଡ ଦୀପ ପ୍ରଜ୍ବଳନ କରାଯାଇଛି ।
ପୂର୍ବାହ୍ନ ୧୦ଟା ୨୮ରୁ ସନ୍ଧିପୂଜା ଆରମ୍ଭ ହୋଇଥିବାବେଳେ କୁଷ୍ମାଣ୍ଡା ବଳିଦାନ କରାଯାଇଛି । ସେହିପରି ମା ସମଲେଇଙ୍କ ମହାନବମୀ ବିହିତ ପୂଜାର୍ଚ୍ଚନା ସହିତ ପୀଠେ ନବକୁମାରୀ ପୂଜନ କାର୍ଯ୍ୟକ୍ରମ ରହିଛି । ସ୍ଥାନୀୟ ମାଁ ଶ୍ୟାମାକାଳୀ ମନ୍ଦିର ସମେତ ଅନ୍ୟ ଶକ୍ତିପୀଠ ଗୁଡିକରେ ମଧ୍ୟ ନବରାତ୍ର ପୂଜା ଚାଲିଥିବାବେଳେ ଦେବୀଙ୍କୁ ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ଭିଡ଼ ଦେଖାଦେଇଛି ।

