Posted inଫୁରସତ

ସୃଜନର ସ୍ରୋତସ୍ବତୀ

ନନ୍ଦିନୀ ଶତପଥୀ କେବଳ ଓଡ଼ିଶା ନୁହେଁ, ଭାରତୀୟ ରାଜନୀତିର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଜନନାୟିକା। ଯାହାଙ୍କ ଅବଦାନରେ ଉଭୟ ରାଜନୀତି ଏବଂ ସାହିତ୍ୟ ବିଭିନ୍ନ ଭାବେ ପରିପୁଷ୍ଟ। ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀଙ୍କ ସ୍ବପ୍ନ ଥିଲା ରାଜ୍ୟର ସାମଗ୍ରିକ ବିକାଶ। ସ୍ବପ୍ନକୁ ବାସ୍ତବ ରୂପ ଦେବା ଲାଗି ସେ ଚଳାଇଥିଲେ ଆପ୍ରାଣ ଉଦ୍ୟମ, ଯାହାର ସୁଫଳ ଆଜି ପାଉଛନ୍ତି ରାଜ୍ୟବାସୀ। ରାଜନୀତି ଭଳି ଓଡ଼ିଆ ଭାଷାରେ ଭାରତୀୟ ସାହିତ୍ୟକୁ ସେ କରିଯାଇଛନ୍ତି ସମୃଦ୍ଧ। ଓଡ଼ିଆ ସୃଜନ ଓ ଅନୁବାଦ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ପାଇଁ ‘ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା’, ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ ଓ ‘ସାହିତ୍ୟ ଭାରତୀ’ ସମ୍ମାନରେ ସେ ସମ୍ମାନିତା।

ସୃଜନର ସ୍ରୋତସ୍ବତୀ ନନ୍ଦିନୀ ଶତପଥୀ। ରାଜନୀତିର ନିଆଁ ଖେଳରେ ସେ ଯେମିତି ପ୍ରବୀଣା, ସାହିତ୍ୟ ସାଧନାରେ ସେମିତି ଧୁରୀଣା। ତାଙ୍କ ସାରସ୍ବତ ପ୍ରତିଭାକୁ ପ୍ରଶଂସାକରି କେହି କେହି କହନ୍ତି ‘ମାଟିର ମଣିଷ’ ପରେ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ଶ୍ରେଷ୍ଠ କୃତି ନନ୍ଦିନୀ ଶତପଥୀ। ସେ କେନ୍ଦ୍ରମନ୍ତ୍ରୀ ପଦରେ ଥାଆନ୍ତୁ କି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ରାଜନୀତିର ହଜାର ବ୍ୟସ୍ତତା ସତ୍ତ୍ବେ କେବେ ବି ଅଟକି ଯାଇନି ତାଙ୍କ କଲମ। ସାହିତ୍ୟ ସାଧନା ପ୍ରତି ତାଙ୍କର ଏହି ନିଷ୍ଠା ଓ ପ୍ରତିବଦ୍ଧତା ସମ୍ପର୍କରେ ସେ ଏକ ସାକ୍ଷାତକାରରେ କହନ୍ତି, ”ମୁଁ କବି ନୁହେଁ, କିମ୍ବା କବି ଭାବରେ ପ୍ରତିଷ୍ଠା ପାଇବା ପାଇଁ କୌଣସି ଦିନ ଚେଷ୍ଟା କରିନାହିଁ। ଜୀବନକୁ ଦେଖିଦେଖି ପାରିପାଶର୍‌ବିକ ଅବସ୍ଥାକୁ ଅନୁଧ୍ୟାନ କରି ଛାଁକୁ ଛାଁ ମନ ଭିତରେ କିଛି ଗୋଟାଏ ଠେଲାମାରେ। ଭିତରୁ କିଏ ଯେପରି କହିପକାଏ ଲେଖିପକା। ସାଙ୍ଗେସାଙ୍ଗେ ଲେଖିପକା। ଲୋକଙ୍କ ସହ କଥା ହେଲା ବେଳେ, ସଭାମଞ୍ଚରେ ଭାଷଣ ଦେବାବେଳେ କି ଶୋଇପଡ଼ିବା ବେଳେ କବିତାର ଧାଡ଼ି ସବୁ ମୋତେ ଜାଗ୍ରତ କରିଦିଅନ୍ତି। ରାତି ଦୁଇଟା ପରେ ଯାହା ପାରେ ସେହି ଭାବନା ସବୁକୁ ଲେଖି ପକାଏ। ପରେ ତାକୁ ପୂର୍ଣ୍ଣ ରୂପ ଦେବାକୁ ଚେଷ୍ଟା କରେ। କୌଣସି ମହତ କାର୍ଯ୍ୟ ପାଇଁ ହୃଦୟରୁ ଆସୁଥିବା ଆହ୍ବାନକୁ ବାସ୍ତବ ରୂପ ଦେବାପାଇଁ ଯଦି ମନରେ ନିଷ୍ଠା ଥାଏ, ତେବେ ସମୟ ତ ଆପେ ଆପେ ଧରାଦେବ।“
ନନ୍ଦିନୀ ଦେବୀ ଥିଲେ ଏକାଧାରରେ ଗାଳ୍ପିକା, କବୟିତ୍ରୀ ଓ ଅନୁବାଦିକା। ତାଙ୍କର ଗଳ୍ପଗ୍ରନ୍ଥ ‘କେତୋଟି କଥା’ (୧୯୬୭) ଓ ‘ସପ୍ତଦଶୀ’(୧୯୮୮)ରେ ସ୍ଥାନ ପାଇଥିବା ଗଳ୍ପଗୁଡ଼ିକର ଭାବବସ୍ତୁ ଏତେ ଶକ୍ତିଶାଳୀ ଯେ ସେଥିରୁ ଅଧିକାଂଶ ଗଳ୍ପ ଅନୂଦିତ ହୋଇଛି ବଙ୍ଗଳା, ତେଲୁଗୁ, ତାମିଲ, ମାଲୟାଲମ, କନ୍ନଡ ଓ ଇଂଲିଶ ଭାଷାରେ। କବୟିତ୍ରୀଙ୍କ ଦାର୍ଶନିକ ଦୃଷ୍ଟିଭଙ୍ଗୀ ଗଭୀର ଜୀବନାନୁଭୂତି ଓ ପ୍ରଗତିବାଦୀ ଚେତନାର ଏକ ମିଶ୍ରରାଗ ହେଉଛି ତାଙ୍କର ଏକମାତ୍ର କବିତା ସଂକଳନ ‘ଉତ୍ତର ପୁରୁଷ’। ଗଳ୍ପ ଓ କବିତାରେ ସେ କୃତବିଦ୍ୟ ହେଲେ ହେଁ ଜଣେ ଅନୁବାଦିକା ଭାବରେ ତାଙ୍କର ପାରଦର୍ଶିତା ସର୍ବାଧିକ। ସାହିତ୍ୟରେ ଅନୁବାଦ ବି ଏକ ସୃଜନଶୀଳ କଳା। ଅନୁବାଦକ ନିଜେ ସୃଜନଶୀଳ ନ ହେଲେ ପାଠକ ପାଖରେ ପହଞ୍ଚତ୍ ପାରେନି ମୂଳ ଲେଖକର ଭାବ ଓ ଭାଷା। ଅର୍ଥାତ୍‌ ସୃଜନଶୀଳତା ବିନା ଅନ୍ୟ ଭାଷାକୁ ଯାଇପାରେନି ମୂଳ ଲେଖାରେ ଭାଷା ସହିତ ମିଶିଥିବା ଭାବ। ଏହି ସୃଜନଶୀଳତା କାରଣରୁ ନନ୍ଦିନୀ ଦେବୀଙ୍କ ଅନୁବାଦ କଳା ତାଙ୍କୁ ଆଣିଦେଇଛି ଅଜସ୍ର ପାଠକୀୟ ଶ୍ରଦ୍ଧା ଓ ସମ୍ମାନ।
ସ୍କୁଲ ଜୀବନରୁ ନନ୍ଦିନୀଙ୍କୁ ବହୁଭାବରେ ଅନୁପ୍ରାଣିତ କରିଥିଲା ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶ। ଅହିଂସାର ଆଜୀବନ ପୂଜାରୀ ଗାନ୍ଧିଜୀ କହୁଥିଲେ, ଅହିଂସା ମାନବ ଜାତି ହାତର ସର୍ବବୃହତ ଶକ୍ତି। ମଣିଷର ଚାତୁର୍ଯ୍ୟ ଓ କୌଶଳ ଦ୍ବାରା ନିର୍ମିତ ସବୁଠାରୁ ଧ୍ବଂସକାରୀ ଅସ୍ତ୍ର ଅପେକ୍ଷା ଅଧିକ ଶକ୍ତିଶାଳୀ। ଅହିଂସା ଏପରି ଏକ ଶକ୍ତି, ଯାହାକୁ ଆବାଳବୃଦ୍ଧବନିତା ବ୍ୟବହାର କରିପାରିବେ ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନ୍ୟାୟ ପାଳନ ହେଉଛି ତା’ର ପ୍ରଥମ ସର୍ତ୍ତ। ଆମକୁ ଯିଏ ଭଲ ପାଉଛନ୍ତି ତାଙ୍କୁ ଆମେ ଭଲ ପାଇବା ଅହିଂସା ନୁହେଁ, ବରଂ ଆମକୁ ଯିଏ ଭଲ ପାଉନାହାନ୍ତି ତାଙ୍କୁ ଭଲ ପାଇବା ହେଉଛି ଅହିଂସା। ଅତଏବ ଅହିଂସାର ଯଥାର୍ଥ ଅର୍ଥ ହେଉଛି ବୃହତ୍ତମ ପ୍ରେମ ଓ ମହତ୍ତର ଉଦାରତା। ହିଂସାଠାରୁ ଏହା ଅନନ୍ତ ଗୁଣରେ ଶ୍ରେଷ୍ଠ। ସେଥିପାଇଁ କୁହାଯାଏ ଦଣ୍ଡ ଦେବାଠାରୁ କ୍ଷମା ପ୍ରଦାନ କରିବା ଅଧିକ ପୌରୁଷପୂର୍ଣ୍ଣ। ଅହିଂସା ଉପାସକର ଗୋଟିଏ ମାତ୍ର ଭୟ ଥାଏ, ତାହା ହେଉଛି ଈଶ୍ବର ଭୟ। ଈଶ୍ବର ସ୍ବର୍ଗରେ ନାହାନ୍ତି, ମର୍ତ୍ତ୍ୟରେ ନାହାନ୍ତି, ସେ ଆମ ସମସ୍ତଙ୍କ ଭିତରେ ଅଛନ୍ତି। ଗାନ୍ଧିଜୀଙ୍କ ଏହି ବାଣୀ ଓ ଦର୍ଶନ ସମ୍ପର୍କରେ ସେ ବିସ୍ତୃତ ଭାବରେ ପଢ଼ିବାକୁ ପାଇଥିଲେ କେନ୍ଦ୍ର ସାହିତ୍ୟ ଏକାଡେମୀର ତତ୍କାଳୀନ ସଚିବ ଶ୍ରୀ କୃଷ୍ଣ କୃପାଳିନୀଙ୍କ ସଂଗ୍ରହ ଓ ସମ୍ପାଦନାରେ ପ୍ରକାଶିତ (୧୯୭୦) ଗାନ୍ଧିଜୀଙ୍କ ଜୀବନୀ ‘All men are brothers’ ଗ୍ରନ୍ଥରେ। କେବଳ ଏତିକି ନୁହେଁ,ଏଥିରେ ରହିଛି ସତ୍ୟ, ଧର୍ମ, ସାଧନା, ଆତ୍ମଶୋଧନ, ବିଶ୍ବଶାନ୍ତି, ଗଣତନ୍ତ୍ର, ଦାରିଦ୍ର୍ୟ ଓ ନାରୀ ଆଦି ବିଭିନ୍ନ ପ୍ରସଙ୍ଗ ତଥା ତାଙ୍କ ଜୀବନ ଦର୍ଶନର ମୂଳ ତତ୍ତ୍ବକୁ ନେଇ ସୁନ୍ଦର ବ୍ୟାଖ୍ୟା। ଗାନ୍ଧୀଙ୍କର ଏହି ଆଦର୍ଶକୁ ଅଧିକ ପ୍ରଚାର, ପ୍ରସାର ତଥା ଏହାକୁ ବୃହତ୍ତର ପାଠକ ସମାଜ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟ ନେଇ ନନ୍ଦିନୀ ଦେବୀ ତା’ର ଓଡ଼ିଆ ଅନୁବାଦ କରିଛନ୍ତି, ଯାହା ୧୯୭୦ ମସିହାରେ ଆତ୍ମପ୍ରକାଶ କଲା ‘ଗାନ୍ଧୀ କଥାମୃତ’ ନାମରେ।
ଅନୁବାଦିକା ନନ୍ଦିନୀ ଦେବୀଙ୍କର ଦ୍ବିତୀୟ ଅନୁବାଦ ପୁସ୍ତକ ଭାରତର ବିଶିଷ୍ଟ ଲେଖିକା ଜ୍ଞାନପୀଠ ବିଜୟିନୀ ଡ. ଅମୃତା ପ୍ରୀତମଙ୍କ ଆତ୍ମ ଜୀବନୀ ‘ରେଭିନ୍ୟୁ ଟିକେଟ’। ଅମୃତା ପ୍ରୀତମ ଏମିତି ଜଣେ ବିରଳ ଲେଖିକା, ଯାହାଙ୍କର ପ୍ରଥମ କବିତା ସଂକଳନ ପ୍ରକାଶ ପାଇଥିଲା ମାତ୍ର ଷୋହଳ ବର୍ଷ ବୟସରେ। ଭାରତ ବିଭାଜନ ସମୟରେ ଲାହୋରରୁ ଭାରତ ଚାଲିଆସିଥିବା ଅମୃତା ପ୍ରୀତମଙ୍କ ମନରେ ଛାପ ହୋଇ ରହିଯାଇଥିଲା ଦେଶ ବିଭାଜନର ଯନ୍ତ୍ରଣା ଓ ବନ୍ଧୁ ପରିଜନଙ୍କୁ ହରେଇବାର ଦୁଃଖ। ତେଣୁ ଭାରତ ବିଭାଜନଜନିତ ବିଭିନ୍ନ ସମସ୍ୟାକୁ ଉପଜୀବ୍ୟ କରି ଗଢ଼ିଉଠିଛି ତାଙ୍କ ସାହିତ୍ୟ ଜଗତ। ଲେଖିକା ପ୍ରଗତିଶୀଳ ଲେଖକ ସଂଘରେ ଯୋଗ ଦେଇଥିଲେ ଏବଂ ତାଙ୍କ ଲେଖାରେ ସ୍ପଷ୍ଟ ବାରିହୋଇପଡ଼େ କୁସଂସ୍କାର ଓ ଅନ୍ୟାୟ ବିରୋଧରେ ପ୍ରତିବାଦର ସ୍ବର। ଯୁଦ୍ଧ ପ୍ରଭାବିତ ଅର୍ଥନୀତି ପ୍ରତି ତାଙ୍କର କବିତା ସଂକଳନ ‘ଲୋକଗୀତ’ (୧୯୪୮) ଏକ ତୀବ୍ର ପ୍ରତିବାଦ। ନାରୀର ସାମାଜିକ ସ୍ଥିତି ତଥା ତା’ର ମାନସିକ ଓ ଭାବାତ୍ମକ ଆଦି ପ୍ରସଙ୍ଗକୁ ନେଇ ସେ ଲେଖିଛନ୍ତି ଅନେକ ଗଳ୍ପ ଓ କବିତା। ନିଜ ଭିତରର ସବୁକଥାକୁ ସେ ଟିକିନିଖି ଭାବରେ ବିଶ୍ଳେଷଣ କରିଛନ୍ତି ଓ ତାକୁ ପାଠକ ସାମ୍ନାରେ ପ୍ରକାଶ କରିଛନ୍ତି ଖୁବ୍‌ ଦମ୍ଭର ସହିତ। ତାଙ୍କର ଆତ୍ମ ଜୀବନୀ ‘ରେଭିନ୍ୟୁ ଟିକେଟ’ ଭାରତୀୟ ସାହିତ୍ୟର ଏକ ଅନବଦ୍ୟ କୃତି। ବହୁପଠିତ ଓ ବହୁ ଭାଷାରେ ଅନୂଦିତ ଏହି ପୁସ୍ତକକୁ ନନ୍ଦିନୀ ଦେବୀ ଓଡ଼ିଆରେ ଅନୁବାଦ କରିଛନ୍ତି ଏବଂ ଭିନ୍ନ ଭିନ୍ନ ପ୍ରସଙ୍ଗଭିତ୍ତିରେ ତାକୁ ୪୩ ଭାଗରେ ବିଭକ୍ତ କରି ପାଠକଙ୍କ ଆଗରେ ପରଷି ଦେଇଛନ୍ତି ଖୁବ୍‌ ଚମତ୍କାର ଢଙ୍ଗରେ। ରେଭିନ୍ୟୁ ଟିକେଟର ଅନୁବାଦ ତାଙ୍କୁ ଆଣିଦେଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର।
ବାଂଲାଦେଶର ନାରୀବାଦୀ ତଥା ମୁକ୍ତିକାମୀ ଲେଖିକା ତସଲିମା ନସ୍‌ରିନ। ୧୯୯୩ରେ ପ୍ରକାଶପାଏ ତାଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ ‘ଲଜ୍ଜା’।
ସ୍ବାଧୀନତା ପ୍ରାପ୍ତିର ଦୀର୍ଘବର୍ଷ ବିତିଗଲା ପରେ ବି ଅଦ୍ୟାବଧି ଉପଶମ ହୋଇନାହିଁ ଦେଶ ବିଭାଜନର କ୍ଷତ। ସେଥିପାଇଁ ଭାରତରେ ଯେ କୌଣସି ଧର୍ମୀୟ ଉନ୍ମାଦନାର ପ୍ରତିକ୍ରିୟା ପଡୁଛି ବାଂଲାଦେଶରେ। ତାକୁ କେନ୍ଦ୍ରକରି ମଝିରେ ମଝିରେ ସାମ୍ପ୍ରଦାୟିକ ସଂଘର୍ଷ ହେଉଛି ଏବଂ ସେଥିରେ ଶିକାର ହେଉଛନ୍ତି ଅନେକ ନିରୀହ ଲୋକ। ଭାରତରେ ବାବ୍ରୀ ମସ୍‌ଜିଦ ଧ୍ବଂସ ହେବା ପରେ ବାଂଲାଦେଶରେ ଆରମ୍ଭ ହୋଇଥିଲା ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ। ସେହି ଅମାନବୀୟ ଉନ୍ମାଦନାର ଜୀବନ୍ତ ଚିତ୍ରକୁ ଉପଜୀବ୍ୟ କରି ଆତ୍ମପ୍ରକାଶ କରିଛି ତସଲିମା ନସ୍‌ରିନଙ୍କ ‘ଲଜ୍ଜା’। ପୃଥିବୀର ବହୁ ଭାଷାରେ ଏହା ଅନୂଦିତ ହୋଇସାରିଛି ଏବଂ ଏହାର ଓଡ଼ିଆ ଭାଷାନ୍ତର ହେଉଛି ନନ୍ଦିନୀ ଶତପଥୀଙ୍କ ‘ଲଜ୍ଜା’। ଏଥିରେ କେବଳ ମୁଲ୍ଲା ମୌଲବୀ ନୁହନ୍ତି ପଣ୍ଡା ପୁରୋହିତ ତଥା ଧର୍ମକୁ ନେଇ ରାଜନୀତି କରୁଥିବା ସବୁ ଧର୍ମର ମୌଳବାଦୀଙ୍କ ପ୍ରତି ରହିଛି ତୀବ୍ର କଟାକ୍ଷ। ‘ଲଜ୍ଜା’ ଉପନ୍ୟାସର ଅବିଶ୍ବସନୀୟ ପାଠକୀୟ ଆବେଦନ ନନ୍ଦିନୀ ଦେବୀଙ୍କୁ ସାହିତ୍ୟ ଜଗତରେ ଆଣିଦେଇଛି ଏକ ସ୍ବତନ୍ତ୍ର ପରିଚୟ ଓ ପ୍ରତିଷ୍ଠା।
ବଙ୍ଗଳା ଭାଷାର ଅଗ୍ରଣୀ ଲେଖିକା ମହାଶ୍ବେତା ଦେବୀ। ଭାରତୀୟ ସାହିତ୍ୟ ଜଗତର ଏକ ସୁପରିଚିତ ନାମ। ବଣ ପାହାଡ଼ ଇଲାକାରେ ବାସ କରୁଥିବା ଲୋକଙ୍କ ସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିନେଇଥିବା ଏହି ମହୀୟସୀ ଲେଖିକା ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଆଦି ରାଜ୍ୟର ଆଦିବାସୀ ଗ୍ରାମରେ ରହି ଲୋକଙ୍କ ଜୀବନଧାରା ଓ ବଳିଦାନର କାହାଣୀ ସଂଗ୍ରହ କରିଛନ୍ତି ଏବଂ ତାକୁ ସ୍ଥାନ ଦେଇଛନ୍ତି ନିଜ ଗଳ୍ପ ଓ ଉପନ୍ୟାସରେ। ତେଣୁ ତାଙ୍କ କଥାସାହିତ୍ୟର ମୁଖ୍ୟ ଉପଜୀବ୍ୟ ହେଉଛି ଭୂମିହୀନ ଲୋକଙ୍କ ପ୍ରତି ହେଉଥିବା ଉତ୍ପୀଡ଼ନର କରୁଣ ଚିତ୍ର। ମହାଶ୍ବେତା ଦେବୀଙ୍କ ଲେଖାରେ ଥିବା ସମାଜବାଦୀ ଚେତନା ନନ୍ଦିନୀ ଦେବୀକୁ ଖୁବ୍‌ ଆକର୍ଷିତ କରିଥିବାରୁ ତାଙ୍କ ନିର୍ବାଚିତ ଗଳ୍ପ ସଂକଳନରେ ସ୍ଥାନ ପାଇଥିବା ପଚାଶଟି ଗଳ୍ପ ମଧ୍ୟରୁ କୋଡିଏ ଗଳ୍ପକୁ ନନ୍ଦିନୀ ଦେବୀ ଓଡ଼ିଆରେ ଅନୁବାଦ କରିଛନ୍ତି, ଯାହା ତାଙ୍କ ସାରସ୍ବତ ସାଧନାର ଏକ ମାଇଲ ସ୍ତମ୍ଭ।

– ଡ.ପ୍ରଫୁଲ୍ଲ କୁମାର ସାହୁ
ଅବସରପ୍ରାପ୍ତ ଅଧ୍ୟକ୍ଷ,
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ- ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?