ଅପରେସନ୍ ପରେ ପେଟ ଭିତରେ ରହିଗଲା ଗ୍ଲୋଭସ୍-ନାପକିନ୍! ୧୯ ବର୍ଷୀୟା ମା’ଙ୍କ ଅବସ୍ଥା….

ମୁମ୍ବାଇ,୧୯ା୮: ମହାରାଷ୍ଟ୍ରର ବୀଡ୍‌ରୁ ସରକାରୀ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୧୯ ବର୍ଷୀୟା ସନ୍ଧ୍ୟା ସୂରଜ ଗାଏକୱାଡ୍‌ ଅଗଷ୍ଟ ୧ ତାରିଖରେ ବୀଡ୍‌ ଜିଲା ହସ୍ପିଟାଲରେ ସିଜେରିଆନରେ ଶିଶୁକୁ ଜନ୍ମ ଦେଇଥିଲେ। ଅପରେସନ୍‌ର ଚାରି ଦିନ ପରେ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା।

ତେବେ ଘରକୁ ଫେରିବା ପରେ ସନ୍ଧ୍ୟାଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେବା ସହ ତାଙ୍କ ସ୍ୱାସ୍ଥ୍ୟ ଧୀରେ ଧୀରେ ଖରାପ ହେବାକୁ ଲାଗିଥିଲା। ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ପରୀକ୍ଷା ପରେ ତାଙ୍କ ପେଟ ଭିତରେ କିଛି ଅଜଣା ଜିନିଷ ଥିବା ଜଣାପଡ଼ିଥିଲା। ଏହାପରେ ସନ୍ଧ୍ୟାଙ୍କୁ ପୁଣେର ଏକ ବେସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ପରିବାରର ଅଭିଯୋଗ ଅନୁସାରେ, ସେଠାରେ ପୁଣିଥରେ ଅପରେସନ୍‌ କରାଯିବା ପରେ ତାଙ୍କ ପେଟରୁ ଗ୍ଲୋଭ୍ସ ଓ ପେପର ନାପକିନ୍ ବାହାର କରାଯାଇଥିଲା।

ସନ୍ଧ୍ୟାଙ୍କ ସ୍ୱାମୀ ସୂରଜ ଗାଏକୱାଡ୍‌ ଅଭିଯୋଗ କରିଛନ୍ତି ଯେ, ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କ କଥିତ ଅବହେଳା ଯୋଗୁଁ ତାଙ୍କ ପତ୍ନୀଙ୍କ ଏଭଳି ଅବସ୍ଥା ହୋଇଛି। ସନ୍ଧ୍ୟାଙ୍କ ମାଆଙ୍କ କହିବା ଅନୁସାରେ, ଝିଅ ସିଜେରିଆନରେ ଶିଶୁକୁ ଜନ୍ମ ଦେଇଥିଲେ। କିନ୍ତୁ ପରେ ତାଙ୍କ ସ୍ୱାସ୍ଥ୍ୟ ଏତେ ଖରାପ ହୋଇଗଲା ଯେ ତାଙ୍କୁ ପୁଣିଥରେ ସର୍ଜରୀ କରାଇବାକୁ ପଡ଼ିଲା। ବର୍ତ୍ତମାନ ସନ୍ଧ୍ୟା ନିଜ ନବଜାତ ଶିଶୁକୁ କୋଳରେ ନେବା ସ୍ଥିତିରେ ମଧ୍ୟ ନାହାନ୍ତି ବୋଲି ପରିବାର ଲୋକେ କହିଛନ୍ତି ।

ଘଟଣା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଜିଲା ସର୍ଜନ୍‌ଙ୍କ ସୂଚନା ଅନୁସାରେ, ସମ୍ପୃକ୍ତ ମହିଳା ଡାକ୍ତର ଓ ହସ୍ପିଟାଲ କର୍ମଚାରୀଙ୍କୁ ନୋଟିସ୍‌ ଜାରି କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯିବ। ଯଦି କାହାର ଅବହେଳା ପ୍ରମାଣିତ ହୁଏ, ତେବେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

 

Dharitri – Odisha’s No.1 Odia Daily

Share