Categories: ଖେଳ

ଆଇପିଏଲ୍‌ରୁ ମାନସିକ ବିରତି ନେଲେ ମ୍ୟାକ୍ସଓ୍ବେଲ

ବେଙ୍ଗାଲୁରୁ,୧୭ା୪(ପି.ଟି.): ଆଇପିଏଲରୁ ମାନସିକ ଓ ଶାରୀରିକ ବିରତି ନେଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ। ଖରାପ ବ୍ୟାଟିଂ ଫର୍ମ କାରଣରୁ ମ୍ୟାକ୍ସଓ୍ବେଲ ବିରତି ନେଇଥିବା ସ୍ପଷ୍ଟ କରିଛନ୍ତି। ସୋମବାର ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ମ୍ୟାକ୍ସଓ୍ବେଲ ଖେଳି ନ ଥିଲେ। ଆଙ୍ଗୁଠିରେ ଆଘାତ କାରଣରୁ ସେ ବାଦ ପଡିଥିବା ପ୍ରଥମରୁ କୁହା ଯାଇଥିଲା। ତେବେ ଏହି ଘଟଣା ଉପରୁ ପରଦା ଉଠାଇଛନ୍ତି ମ୍ୟାକ୍ସଓ୍ବେଲ। ମ୍ୟାଚ୍‌ ପୂର୍ବରୁ ସେ ଅଧିନାୟକ ଫାଫ୍‌ ଡୁପ୍ଲେସିଙ୍କ ସହ ଆଲୋଚନା କରିଥିଲେ। ଫାଫ୍‌ ଓ କୋଚ୍‌ ମାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଥିବା ମ୍ୟାକ୍ସଓ୍ବେଲ କହିଥିଲେ। ବର୍ତ୍ତମାନ କିଛି ମ୍ୟାଚ୍‌ ପାଇଁ ମୁଁ ନିଜକୁ ଶାରୀରିକ ଓ ମାନସିକ ବିରତି ପ୍ରଦାନ କରିବାକୁ ଚାହୁଁଛି। ଯାହାଦ୍ୱାରା ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ କରିବା ସମ୍ଭବ ହେବ ବୋଲି କହିଛନ୍ତି ମ୍ୟାକ୍ସଓ୍ବେଲ। ଉଲ୍ଲେଖଯୋଗ୍ୟ ଯେ, ମ୍ୟାକ୍ସଓ୍ବେଲ ନିଜ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ଏଭଳି ବିରତି ନେବାକୁ ଯାଉଛନ୍ତି। ପୂର୍ବରୁ ଅକ୍ଟୋବର ୨୦୧୯ରେ ମଧ୍ୟ ସେ କିଛି ମାସ ପାଇଁ ବିରତି ନେଇଥିଲେ। ଚଳିତ ଆଇପିଏଲରେ ମ୍ୟାକ୍ସଓ୍ବେଲ ୬ ମ୍ୟାଚ୍‌ ଖେଳିଥିବା ବେଳେ ମାତ୍ର ୩୨ ରନ୍‌ କରିଛନ୍ତି। ଆଭରେଜ୍‌ ମାତ୍ର ୫.୩୩ ଓ ଷ୍ଟ୍ରାଇକ୍‌ରେଟ୍‌ ୯୪ ରହିଛି। ବ୍ୟାଟ ଜରିଆରେ କୌଣସି ଅବଦାନ ଦେଇ ପାରୁନାହିଁ। ଅନ୍ୟ କୌଣସି ଖେଳାଳିଙ୍କୁ ସୁଯୋଗ ଦେବାର ଏହା ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି ମ୍ୟାକ୍ସଓ୍ବେଲ। ତେବେ ଆଇପିଏଲରେ ପ୍ରତ୍ୟାବର୍ତ୍ତନ କରିବା ନେଇ ସେ ବଦ୍ଧ ପରିକର ଥିବା କହିଛନ୍ତି । ଆଇପିଏଲ୍‌କୁ ଆସିବା ପୂର୍ବରୁ ମ୍ୟାକ୍ସଓ୍ବେଲ ୧୭ ଟି୨୦ ମ୍ୟାଚରୁ ୪୨ ଆଭରେଜ ଓ ୧୮୫ ଷ୍ଟ୍ରାଇକ ରେଟ୍‌ ସହ ୫୫୨ ରନ୍‌ କରିଥିଲେ। ତେବେ ଚେନ୍ନାଇ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ହିଁ ଗୋଲ୍ଡେନ୍‌ ଡକ୍‌ରେ ଆଉଟ ହୋଇଥିଲେ। ପୂର୍ବରୁ ୨୦୨୦ ସିଜନରେ ମଧ୍ୟ ମ୍ୟାକ୍ସଓ୍ବେଲ ସମାନ ଫର୍ମ ଦେଇ ଗତି କରିଥିଲେ। ପଞ୍ଜାବ ପାଇଁ ଉକ୍ତ ସିଜନରେ ସେ ୧୧ ମ୍ୟାଚ୍‌ ଖେଳି ମାତ୍ର ୧୦୮ ରନ୍‌ କରିଥିଲେ।

Share