ଦେଶକୁ ଦେଉଛନ୍ତି ସୁରକ୍ଷା, ନିଜ ଘର ଅସୁରକ୍ଷିତ

ଗଞ୍ଜାମ,୪ା୭(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅଧିନସ୍ଥ ଜନସେବା କେନ୍ଦ୍ରସ୍ଥିତ ଫ୍ରେଣ୍ଡସ୍‌ କଲୋନୀରେ ବିଏସ୍‌ଏଫ୍‌ ଯବାନ ବିନୋଦ ବିହାରୀ ବେହେରାଙ୍କ ଘର ଆଗ ଗ୍ରୀଲ୍‌ ଭାଙ୍ଗିଛନ୍ତି ଦୁର୍ବୃତ୍ତ l ଘରର ଆସବାବପତ୍ର ସବୁ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି l ଖବର ପାଇ ଗଞ୍ଜାମ ଥାନା ପୋଲିସ ଘଟଣାସ୍ଥଳକୁ ଆସି ଛାନ୍‌ଭିନ୍‌ କରିଛି l

ମିଳିଥିବା ସୂଚନାନୁଯାୟୀ, ବିଏସ୍‌ଏଫ୍‌ ଯବାନ ଓ ତାଙ୍କ ପରିବାର ବାହାର ରାଜ୍ୟରେ ଥିବା ବେଳେ ତାଙ୍କ ମା’ ମାଳତୀ ବେହେରା ଉକ୍ତ ଘରେ ୪ ବର୍ଷ ହେବ ରହି ଆସୁଛନ୍ତି l ବର୍ତ୍ତମାନ ରଥଯାତ୍ରା ଯୋଗୁ ସେ ପୁରୀ ଯାଇଥିବା ବେଳେ ଘରେ ତାଲା ପଡ଼ିଥିବା ଦେଖି ଦୁର୍ବୃତ୍ତମାନେ ଏଭଳି କାରନାମା କରିଥିବା ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ମାଳତୀଙ୍କ ୪ପୁଅ ମଧ୍ୟରୁ ଜଣେ ବିଏସ୍‌ଏଫ୍‌ରେ କାର୍ଯ୍ୟ କରୁଥିବା ବେଳେ ବଡ଼ପୁଅ ଭିକାରି ଚରଣ ବେହେରା ସିଆର୍‌ପିଏଫ୍‌ରେ କାର୍ଯ୍ୟରତ। ସେମାନେ ଦେଶକୁ ସୁରକ୍ଷା ଦେଉଥିବା ବେଳେ ନିଜ ଘର ସୁରକ୍ଷିତ ନ ଥିବା ଭାଇ ରାମ ନାରାୟଣ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ପୁରୀରୁ ତାଙ୍କ ମା’ ଆସିବା ପରେ ଘରୁ କ’ଣ କ’ଣ ଚୋରି ଯାଇଛି ଜଣାପଡ଼ିବ ବୋଲି ସେ କହିଛନ୍ତି l