ରାତିରେ ଯାଇଥିଲେ ଯାତ୍ରା ଦେଖିବାକୁ, ସକାଳୁ ମିଳିଲା ଯୁବତୀଙ୍କ ମୃତଦେହ

ଚନ୍ଦ୍ରପୁର,୨୬।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ସଦର ପଞ୍ଚାୟତ ଅଧୀନ ଚିଚିପଙ୍ଗା ନିକଟ ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାପାର୍ଶ୍ୱରୁ ଗୁରୁବାର ଜଣେ ଯୁବତୀଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଜବତ କରାଯାଇଛି। ସେ ହେଲେ ଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଲତେଗୁଡ଼ା ଗ୍ରାମର ମିଟିକା କ୍ରାଇସ୍କାଙ୍କ ଝିଅ ମାର୍ତ୍ତା(୧୮)।

ସୂଚନା ଅନୁଯାୟୀ ମାର୍ତ୍ତା ବୁଧବାର ସନ୍ଧ୍ୟା ୭ଟା ବେଳେ ଗାଁର ୨ ସମ୍ପର୍କୀୟ ଭଉଣୀ ରଶ୍ମି ଏବଂ ଅର୍ଚ୍ଚିତାଙ୍କ ସହ ମିଶି ଚନ୍ଦ୍ରପୁର ସଦରଠାରେ ଚାଲିଥିବା ବୀରଝାଲିଆ ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ସକାଳ ପର୍ଯ୍ୟନ୍ତ ଚାଲୁଥିବାରୁ ପରିବାର ଲୋକେ ଝିଅକୁ ଖୋଜି ନ ଥିଲେ। ଗୁରୁବାର ସକାଳେ ଚେଚିପଙ୍ଗା ଗ୍ରାମ ନିକଟରେ ମାର୍ତ୍ତାଙ୍କ ମୃତଦେହ ପଡ଼ିଥିବା ବାପା ମିଟିକା ଖବର ପାଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଅନ୍ୟପକ୍ଷରେ ମାର୍ତ୍ତା ସାଙ୍ଗରେ ଯାଇଥିବା ଦୁଇ ଭଉଣୀଙ୍କୁ ଘଟଣା ବିଷୟରେ ପଚାରିବାରୁ ଦୁହେଁ କହିଛନ୍ତି, ଯାତ୍ରାକୁ ଯାଇଥିବାବେଳେ ଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ପୁରୁଣାଗୁଡ଼ା ଗ୍ରାମର ଯୁବକ ଆଶିଷ ଗୁମିଡେଙ୍ଗା(ତୁମ୍ବା)ଙ୍କ ସହ ସାକ୍ଷାତ ହୋଇଥିଲା। ଆଶିଷ ୩ ଭଉଣୀଙ୍କୁ ଗାଁରେ ଛାଡ଼ିଦେବି କହି ରାତିରେ ବାଇକ୍‌ରେ ବସାଇ ଆଣିଥିଲେ। ଚନ୍ଦ୍ରପୁର ନିକଟସ୍ଥ ନଦୀ ପୋଲ ପର୍ଯ୍ୟନ୍ତ ନେଇ ସେଠାରୁ ପୁଣି ବାଇକ୍‌ ପଛକୁ ଫେରାଇ ନେଇଥିଲେ। ରଶ୍ମି ଏବଂ ଅର୍ଚ୍ଚିତାଙ୍କୁ ଚନ୍ଦ୍ରପୁର ଏସ୍‌ଏସ୍‌ଡି ବାଳକ ଉଚ୍ଚ ବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ଛିଡ଼ାକରାଇ ସ୍ତ୍ରୀଙ୍କ ପାଇଁ ଚୁଡ଼ି ବାଛିଦେବାକୁ ମାର୍ତ୍ତାଙ୍କୁ ସାଙ୍ଗରେ ନେଇ ପୁଣି ଯାତ୍ରାସ୍ଥଳକୁ ଯାଇଥିଲେ। ସେଠାରୁ ଆଶିଷ ମାର୍ତ୍ତାଙ୍କୁ ସାଙ୍ଗରେ ନ ଆଣି ଏକୁଟିଆ ଆସି ରଶ୍ମି ଏବଂ ଅର୍ଚ୍ଚିତାଙ୍କୁ ସ୍କୁଲ ନିକଟରୁ ନେଇ କିରାମା ପର୍ଯ୍ୟନ୍ତ ଛାଡ଼ି ଆସିଥିଲେ। ସମସ୍ତ ବିଷୟ ବୁଝିବା ପରେ ମିଟିକା ଗୁରୁବାର ଚନ୍ଦ୍ରପୁର ଥାନାରେ ଏତଲା ଦେବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ଅଭିଯୋଗ ଅନୁଯାୟୀ ପୋଲିସ ୫୬/୨୨ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।