୧୬ ଦିନର ଛାତିଥରା ଘଟଣା… ନାବାଳିକାଙ୍କୁ ଅପହଣ ପରେ ନିଶା ଇଞ୍ଜେକ୍ସନ ଦେଇ ଗଣବଳାତ୍କାର, ପ୍ରତିବାଦ କରିବାରୁ ସିଗାରେଟ ଚେଙ୍କ

ଲକ୍ଷ୍ନୌ,୧୯।୫: ଉତ୍ତର ପ୍ରଦେଶର ମହୋବାରେ, NEET ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ରୀଙ୍କୁ ଅପହରଣ ପରେ ୧୬ ଦିନ ଧରି ଗଣବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ନାବାଳିକାଜଣକ ତାଙ୍କ କୋଚିଂ କ୍ଲାସରୁ ଘରକୁ ଫେରୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରିଥିଲେ। ସେମାନେ ତାଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଗଣବଳାତ୍କାର କରିଥିଲେ । ଏହାପରେ ଯୁବତୀକୁ ସିଗାରେଟ୍ ଚେଙ୍କ ଦେଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ୧୬ ଦିନ ପରେ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।

ଛାତ୍ରୀ ଜଣକ ମଧ୍ୟପ୍ରଦେଶର । ସେ NEET ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ମହୋବା ସହରରେ ରହୁଥିଲେ । ଏପ୍ରିଲ ତିରିଶି ତାରିଖରେ, ଯେତେବେଳେ ସେ ତାଙ୍କ କୋଚିଂ ସେଣ୍ଟରରୁ ଘରକୁ ଫେରୁଥିଲେ, ସେତେବେଳେ ଏକ କାରରେ ଯାଉଥିବା କିଛି ଦୁର୍ବୁତ୍ତ ତାଙ୍କୁ ବଳପୂର୍ବକ ଅପହରଣ କରିଥିଲେ। ସିଟି କୋତୱାଲି ପୋଲିସ ଷ୍ଟେସନର ଇନଚାର୍ଜ ମନୀଷ ପାଣ୍ଡେ କହିଛନ୍ତି ଯେ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ତଦନ୍ତ, ସଂଗୃହୀତ ପ୍ରମାଣ ଏବଂ ପୀଡିତାଙ୍କ ବୟାନ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପୀଡିତାଙ୍କ କହିବା ଅନୁସାରେ, ନାବାଳିକାଙ୍କ ଗ୍ରାମର ଜଣେ ବାସିନ୍ଦା ତାଙ୍କ ସାଙ୍ଗମାନଙ୍କ ସହ ମିଶି ଏଭଳି କାଣ୍ଡ ଭିଆଇଛନ୍ତି । ପ୍ରତି ଦୁଇଘଣ୍ଟାରେ ତାଙ୍କୁ ନିଶା ଇଞ୍ଜେକ୍ସନ ଦିଆଯାଇ ବଳାତ୍କାର କରାଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ଯେତେବେଳେ ସେ ବିରୋଧ କରୁଥିଲେ ତାଙ୍କୁ ସିଗାରେଟରେ ଚେଙ୍କ ଦିଆଯାଇଥିଲା । ପୀଡିତା ଏବେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଗୁହାରି କରୁଛନ୍ତି ଏବଂ ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରୁଛନ୍ତି।

 

Dharitri – Odisha’s No.1 Odia Daily

 

 

Share