Categories: ଫୁରସତ

ବିବାହ କରିବାକୁ ଗୁଜରାଟରୁ ବିହାର ଚାଲିଆସିଲେ ଯୁବତୀ

କୈମୁର, ୩୦।୮: ବିହାରର ଭଭୁଆସ୍ଥିତ ମହିଳା ଥାନା ନିକଟରେ ଥିବା ମହାକୋଟେଶ୍ୱର ମନ୍ଦିରରେ ପୋଲିସ ତତ୍ତ୍ୱାବଧାନରେ ଏକ ପ୍ରେମୀ ଯୁଗଳଙ୍କ ବିବାହ ଅନୁଷ୍ଠିତ ହୋଇଛି। ସୂଚନା ମୁତାବକ ଉଭୟ ଯୁବକ ଓ ଯୁବତୀ ଏକାଠି ଗୁଜରାଟର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ସମୟରେ ଯୁବକଜଣଙ୍କ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ଏହାପରେ ଯୁବତୀଜଣଙ୍କ ଯେତେବେଳେ ବିବାହ ପାଇଁ କହୁଥିଲେ ଯୁବକ ଏହାକୁ ପ୍ରତ୍ୟାଖାନ କରୁଥିଲେ। କିନ୍ତୁ ଯେତେବେଳେ ଲକ୍‌ ଡାଉନ୍‌ ଆରମ୍ଭ ହେଲା ସେତେବେଳେ ଏହାର ସୁଯୋଗ ନେଇ ଯୁବକଜଣଙ୍କ ସେଠାରୁ ନିଜ ଗ୍ରାମ ଭଭୁଆକୁ ପଳାଇ ଆସିଥିଲେ। ଏହାପରେ ଯୁବତୀଜଣଙ୍କ ନିଜ ପ୍ରେମିକଙ୍କୁ ବିବାହ କରିବା ଜିଦିରେ ଗୁଜରାଟରୁ ବିହାରର କୈମୁର ଜିଲାରେ ପହଞ୍ଚି ଏସ୍‌ପି ଦୀଲନବାଜ ଅହମ୍ମଦଙ୍କ ନିକଟରେ ସମସ୍ତ ଘଟଣା କହିଥିଲେ। ଏପରିକି ଯୁବକଙ୍କ ସହ ତାଙ୍କର ବିବାହ କରାଇବାରେ ସହାୟତା କରିବାକୁ ଏସ୍‌ପିଙ୍କୁ ଯୁବତୀଜଣଙ୍କ ଅନୁରୋଧ କରିଥିଲେ। ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ପୋଲିସ ଭଭୁଆରୁ ଯୁବକଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ପୋଲିସ ଯେତେବେଳେ ଯୁବକଙ୍କ ଥାନାକୁ ଆଣି ପଚରାଉଚରା କରିଥିଲା ସେ ବିବାହ ପାଇଁ ମଧ୍ୟ ରାଜି ହୋଇଯାଇଥିଲା। ପରେ ପୋଲିସ ଉପସ୍ଥିତିରେ ସ୍ଥାନୀୟ ମହାକୋଟେଶ୍ୱର ମନ୍ଦିରରେ ଏହି ପ୍ରେମୀ ଯୁଗଳଙ୍କ ବିବାହ ଅନୁଷ୍ଠିତ ହୋଇଥିଲା।

Share