ଅଟୋକୁ ଧକ୍କା ଦେଲା ହାଇଓ୍ବା: ୩ ମୃତ, ଜଣେ ଗୁରୁତର

ଆନନ୍ଦପୁର,୨୧।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ କୋଡ଼ପଡ଼ା ଛକ ନିକଟରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଚିପ୍ସ ବୋଝେଇ ହାଇଓ୍ବା ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି। ଅନ୍ୟ ଜଣେ ଆହତଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ମୃତକହେଲେ ହାଟଡିହୀ ବ୍ଲକ ଜାବିନପୁର ଗ୍ରାମର ଟୁକୁନା ମୁଣ୍ଡା(୪୫), ସନା ମୁଣ୍ଡା(୪୭) ଓ ଆଚି ମୁଣ୍ଡା(୩୮)। ଗୁରୁତର ସୋମବାରି ମୁଣ୍ଡା(୪୫)ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଜଳସରପୁର ଗ୍ରାମର ଅଟୋ ଚାଳକ ଓକିଲ ଯେନା (୩୬) ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।
ସୂଚନାଯୋଗ୍ୟ, ମୟୂରଭଞ୍ଜର ସାତକୋଶିଆ ଅଞ୍ଚଳରୁ ୪ ଜଣ ଯାତ୍ରୀଙ୍କୁ ନେଇ ଏକ ଅଟୋ ହାଟଡିହୀ ବ୍ଲକ ଜାବିନପୁର ଅଞ୍ଚଳକୁ ଆସୁଥିଲ। ଏହି ସମୟରେ ଆନନ୍ଦପୁର ଥାନା ଅଧୀନ କୋଡପଡା ଛକରେ ଚିପ୍ସ ବୋଝେଇ ହାଇଓ୍ବା ଅଟୋକୁ ଧକ୍କା ଦେଇଥିଲା। ଖବରପାଇ ଘଟଣାସ୍ଥଳରେ ଆନନ୍ଦପୁର ଅଗ୍ନିଶମ ବିଭାଗ ଅଧିକାରୀ ପ୍ରତାପ ସିଂହଙ୍କ ନେତୃତ୍ୱରେ ଏକ ଟିମ୍‌ ପହଞ୍ଚ ଆହତଙ୍କୁ ଉଦ୍ଧାର କରିଥିଲେ। ଆନନ୍ଦପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।