ଦାରିଙ୍ଗବାଡି, ୩।୯(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମକୁ ସଂଯୋଗ କରୁଥିବା ଗାଜଲବାଡି ଘାଟି ଏବେ ବିପଦରେ। ଗତ କିଛି ଦିନ ହେଲା ଅଞ୍ଚଳରେ ତୁହାକୁ ତୁହା ବର୍ଷା ଚାଲିଥିବାବେଳେ ଏବେ କନ୍ଧମାଳ ଜିଲାର ବିଭିନ୍ନ ରାସ୍ତା କଡ଼ରେ ବିପଦ ଦେଖାଯାଇଛି। ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଏକାଧିକ ସ୍ଥାନରେ ପାହାଡ଼ରୁ ମାଟି ଅତଡ଼ା ଖସିବା ସହ ଗଛ ଓ ପଥର ରାସ୍ତାକୁ ଖସି ଆସୁଥିବା ଦେଖୁବାକୁ ମିଳିଛି। ଫଳରେ ସେହି ରାଜପଥ ଦେଇ ଯାତାୟାତ କରୁଥିବା ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି।
ପ୍ରକାଶ ଯେ, ଉକ୍ତ ରାଜପଥର ଘାଟି ରାସ୍ତାକୁ କେନ୍ଦ୍ର ସରକାର ସମ୍ପ୍ରସାରଣ କରିବା ପାଇଁ ୭ ଶହ ୨୦ କୋଟି ଅନୁଦାନ ପ୍ରଦାନ କରିଛନ୍ତି। କିନ୍ତୁ ଏବେ ସୁଦ୍ଧା କାର୍ଯ୍ୟ ଆରମ୍ଭ ହୋଇ ନ ଥିବାବେଳେ ୨୦୨୮ ସୁଦ୍ଧା ଉକ୍ତ ରାଜପଥର ଘାଟି ରାସ୍ତା କାର୍ଯ୍ୟ ସମ୍ପନ୍ନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ସରକାର ଘୋଷଣା କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ୨୦୧୮ ଅକ୍ଟୋବର ୮ରେ ତିତଲି ବାତ୍ୟାରେ ଉକ୍ତ ଘାଟିରେ ଭୂସ୍ଖଳନ ହୋଇ ପ୍ରାୟ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ରାଜପଥ ଅବରୋଧ ହୋଇ ରହିଥିଲା ଉକ୍ତ ଘାଟିରେ ସେହି ସମୟରେ ଏତେ ବଡ଼ ଭୂସ୍ଖଳନ ହୋଇଥିଲେ ମଧ୍ୟ ସେହି ବିପଦ ଏବେ ମଧ୍ୟ ଟଳି ନ ଥିବା ଜଣାପଡିଛି।

