ଦାରିଙ୍ଗବାଡି,୭।୧: କନ୍ଧମାଳ ଜିଲାର ପାହାଡ଼ିଆ ଅଞ୍ଚଳ ଦାରିଙ୍ଗବାଡ଼ି, ଯାହାକୁ ‘ଓଡ଼ିଶାର କାଶ୍ମୀର’ କୁହାଯାଏ, ସେଠାରେ ଏବେ ଜର୍ମାନୀର ଏକ ପର୍ଯ୍ୟଟକ ଦମ୍ପତି ସାଇକେଲ ଯାତ୍ରାର ମଜା ନେଉଛନ୍ତି। ପ୍ୟାଟ୍ରିକ୍ ଏବଂ ତାଙ୍କ ପତ୍ନୀ ଆନି ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଗ୍ରାମୀଣ ଜୀବନଶୈଳୀ ଅନୁଭବ କରିବା ପାଇଁ ଜର୍ମାନୀରୁ ଆସିଛନ୍ତି।
ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରି ଏହି ଦମ୍ପତି ପୁରୀ, କୋଣାର୍କ, ଏବଂ ସାତକୋଶିଆ ଦେଇ ଦାରିଙ୍ଗବାଡ଼ିରେ ପହଞ୍ଚିଛନ୍ତି। ସେମାନେ କହିଛନ୍ତି ଯେ ଏହି ଅଞ୍ଚଳର ବଙ୍କା ଟଙ୍କା ରାସ୍ତା, ପାହାଡ଼, ସୁଲୁସୁଲିଆ ପବନ ଏବଂ ସୁନେଲି ସକାଳ ଆଲୋକରେ ସାଇକେଲ୍ ଚଳାଇବା ଏକ ଅବିସ୍ମରଣୀୟ ଅନୁଭୂତି।
ସେମାନେ ଆଦିବାସୀ ସମ୍ପ୍ରଦାୟର ସରଳତା ଏବଂ ଉଷ୍ମ ବ୍ୟବହାର, ଏବଂ ପାରମ୍ପରିକ ଗ୍ରାମୀଣ ଖାଦ୍ୟରେ ଗଭୀର ଭାବରେ ପ୍ରଭାବିତ ହୋଇଛନ୍ତି। ପ୍ୟାଟ୍ରିକ୍ କହିଛନ୍ତି, “ଏଠାର ପ୍ରାକୃତିକ ଦୃଶ୍ୟ ଓ ବନ୍ଧୁତ୍ୱପୂର୍ଣ୍ଣ ଲୋକଙ୍କ ପାଇଁ ଓଡ଼ିଶା ମୋତେ ବହୁତ ଭଲ ଲାଗିଛି। ଲୋକମାନେ ଖୁବ୍ କୌତୁହଳୀ ଏବଂ ଆମକୁ ଅନେକ କଥା ପଚାରୁଛନ୍ତି। ନିଶ୍ଚିତ ଭାବରେ, ଏଠାକାର ଖାଦ୍ୟ ମଧ୍ୟ ବହୁତ ସୁନ୍ଦର।”
କନ୍ଧମାଳରେ ଥିବା ଏକ ଜଳପ୍ରପାତ ଦେଖିବା ସହ ସେମାନେ କଫି ଚାଷ ଜମି ପରିଦର୍ଶନ କରିଥିଲେ। ଜଣେ କଫି ପ୍ରେମୀ ହୋଇଥିବାରୁ, କଫି କିପରି ଉତ୍ପାଦନ ହୁଏ ତାହା ଦେଖିବା ତାଙ୍କ ପାଇଁ ଖୁବ୍ ଉତ୍ସାହଜନକ ଥିଲା ବୋଲି ପ୍ୟାଟ୍ରିକ୍ କହିଛନ୍ତି।
ଉଭୟେ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଶଂସା କରିବା ସହ ଏହି ପରିବେଶକୁ ସଂରକ୍ଷଣ ପାଇଁ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ସେମାନେ କହିଛନ୍ତି, ଏହି ପରି ପ୍ରାକୃତିକ ଐତିହ୍ୟ ଅବହେଳା ଓ ପ୍ରଦୂଷଣର ଶିକାର ହେଉଥିବାରୁ ସେମାନେ ଚିନ୍ତା ପ୍ରକଟ କରିଛନ୍ତି।


