Categories: ବାଣିଜ୍ୟ

ଜିଓ ଟ୍ରୁ-୫ଜି ଲାବ୍‌ର ଶୁଭାରମ୍ଭ

ଭୁବନେଶ୍ୱର, ୩୧।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ୪୬ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ମୁମ୍ବାଇଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଓ ଟ୍ରୁ-୫ଜି ଲାବ୍‌ର ଶୁଭାରମ୍ଭ ସମ୍ପର୍କରେ ବିସ୍ତୃତ ଭାବେ ଘୋଷଣା କରାଯାଇଥିଲ। ଏପରିକି ଜିଓ ଏୟାର ଫାଇବର ସହିତ ଜିଓ ଟ୍ରୁ-୫ଜି ଡେଭଲପର ପ୍ଲାଟ୍‌ଫର୍ମର ଶୁଭାରମ୍ଭ ବିଷୟରେ ମଧ୍ୟ ଘୋଷଣା ହୋଇଥିଲା। ଏ ସମ୍ପର୍କରେ ଜିଓର ଅଧ୍ୟକ୍ଷ ଆକାଶ ଏମ୍‌ ଅମ୍ବାନୀ କହିଛନ୍ତି, ଆମେ ଏଭଳି ଏକ ପ୍ଲାଟ୍‌ଫର୍ମ ତିଆରି କରୁଛୁ, ଯାହା ଉଦ୍ୟୋଗୀ, କ୍ଷୁଦ୍ର ବ୍ୟବସାୟ ଓ ଷ୍ଟାର୍ଟଅପ୍‌ଗୁଡ଼ିକର ଡିଜିଟାଲ ଦୁନିଆ ସହ ସମ୍ପର୍କ ମାଧ୍ୟମକୁ ବଦଳାଇ ଦେବ। ବିଶେଷକରି ଉଦ୍ୟୋଗୀମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ପକ୍ଷରୁ ୫ଜି ନେଟ୍‌ୱର୍କ, ଏଜ୍‌ କମ୍ପ୍ୟୁଟିଂ ଓ ଆପ୍ଲିକେଶନକୁ ମିଶାଇ ଏକ ବ୍ୟାପକ ପ୍ଳାଟ୍‌ଫର୍ମ ପ୍ରସ୍ତୁତ କରାଯାଇଛି। ସେହିପରି ଜିଓ ଟ୍ରୁ-୫ଜି ଲାବ୍‌ରେ ଆମର ଔଦ୍ୟୋଗିକ ସହଯୋଗୀମାନେ ଶିଳ୍ପ କ୍ଷେତ୍ର ପାଇଁ ସ୍ବତନ୍ତ୍ର ସମାଧାନର ବିକାଶ,ପରୀକ୍ଷଣ ଓ ମିଳିତ ଭାବେ ନିର୍ମାଣ କରିପାରିବେ ବୋଲି ଆକାଶ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଜିଓ ଟ୍ରୁ-୫ଜି ଲାବ୍‌ ରିଲାଏନ୍ସ କର୍ପୋରେଟ୍‌ ପାର୍କ ନଭି ମୁମ୍ବାଇଠାରେ ରହିବ। ଅପରପକ୍ଷରେ ଆର୍‌ଆଇଏଲ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କମ୍ପାନୀର ବାର୍ଷିକ ସାଧାରଣ ବୈଠକରେ ଘୋଷଣା କରିଛନ୍ତି, ୫ଜି ନେଟ୍‌ୱର୍କ ଓ ଉନ୍ନତ ଓୟାରଲେସ୍‌ ପ୍ରଯୁକ୍ତିକୁ ବ୍ୟବହାର କରି ଜିଓ ଏୟାର ଫାଇବର ଘରେ ଓ କାର୍ଯ୍ୟାଳୟରେ ଓୟାରଲେସ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପ୍ରଦାନ କରିବ। ଜିଓ ଏୟାର ଫାଇବର ଶୁଭାରମ୍ଭ ପରେ ଟେଲିକମ୍‌ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଶା କରାଯାଉଛି।

Share