Categories: ବାଣିଜ୍ୟ

ଲିଙ୍ଗଗତ ସମ୍ବେଦନଶୀଳତା, ପୋଷଣ ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱର,୪।୯: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମ୍ବେଦନଶୀଳତା ଏବଂ ପୋଷଣ ଓ ସୁସ୍ଥ ଜୀବନଶୈଳୀ ଶୀର୍ଷକ ଏକ କର୍ମଶାଳା ଆୟୋଜନ ହୋଇଯାଇଛି। ଉକ୍ତ କର୍ମଶାଳାରେ କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମାନତା, ସମ୍ବେଦନଶୀଳତା ଓ ସୁରକ୍ଷିତ ପରିବେଶର ଗୁରୁତ୍ୱ ସହ ସନ୍ତୁଳିତ ପୋଷଣ ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ସୃଷ୍ଟି ଓ ଜ୍ଞାନ ବିନିମୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । କାର୍ଯ୍ୟକ୍ରମରେ ପତ୍ର ସୂଚନା କାର୍ଯ୍ୟାଳୟ ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଅଧ୍ୟକ୍ଷତାକରି ଲିଙ୍ଗଗତ ନ୍ୟାୟ କେବଳ ମହିଳାଙ୍କ ସହ ଜଡ଼ିତ ନୁହେଁ, ବରଂ ଏହା ଉଭୟ ପୁରୁଷ ଓ ମହିଳାଙ୍କ ସମାନ ଅଧିକାର, ସୁଯୋଗ ଓ ସମ୍ମାନ ସହ ଜଡ଼ିତ। ଏଥିପାଇଁ ସେ କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମ୍ବେଦନଶୀଳତା ଓ ସଚେତନତା ବୃଦ୍ଧି ସହିତ ଏକ ସମାବେଶୀ, ସୁରକ୍ଷିତ ଓ ସମ୍ମାନଜନକ ପରିବେଶ ଗଠନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ଖାଦ୍ୟ ଆୟୋଗର ପୂର୍ବତନ ଅଧ୍ୟକ୍ଷ ପ୍ରମୋଦ କୁମାର ମର୍କାପ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ଷୁଧା ଏବେ ଦାନର ବିଷୟ ନୁହେଁ, ବରଂ ଏହା ନ୍ୟାୟର ବିଷୟ ବୋଲି କହିଥିଲେ। ସରକାରଙ୍କ ବିଭିନ୍ନ ଖାଦ୍ୟ ସୁରକ୍ଷା ଯୋଜନା ସତ୍ତ୍ୱେ ପୋଷଣ ଅଭାବ ଏକ ବଡ଼ ଆହ୍ବାନ । ଗର୍ଭବତୀ ଓ ପ୍ରସୂତି ମା’ଙ୍କ ସମେତ ଶିଶୁମାନଙ୍କ ପୋଷଣ ପ୍ରତି ବିଶେଷ ଯତ୍ନ ନେବା ସହ ଜୀବନର ପ୍ରଥମ ୧୦୦୦ ଦିନର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ। ୟୁନିସେଫ୍‌ର ରାଜ୍ୟ ପରାମର୍ଶଦାତା ଜୟାଜ୍ୟୋତି ପଣ୍ଡା, ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଭୁବନେଶ୍ୱର ସଦସ୍ୟ ଡ. ହିମାଦ୍ରି ତନୟା ମିଶ୍ର ଏବଂ ଇଡ୍‌କୋର ଲ୍ୟାଣ୍ଡ ଅଫିସର ପଦ୍ମଜା ଦାଶ ଯୋଗଦେଇ କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମାନତା, ସମ୍ବେଦନଶୀଳତା ଓ ସୁରକ୍ଷିତ ପରିବେଶ ସୃଷ୍ଟି ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

 

Dharitri – Odisha’s No.1 Odia Daily

Share