ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ Gen Zଙ୍କ ଟ୍ରେଣ୍ଡ, ଲାଇଫଷ୍ଟାଇଲ୍ ଓ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଲାଗିରହିଛି । ଅନେକଙ୍କ ଧାରଣା ଯେ, ଯୁବପିଢ଼ି ଅଧିକ ଟଙ୍କା ଟ୍ରାଭେଲ୍, ବ୍ରାଣ୍ଡେଡ୍ ପୋଷାକ ଓ ମହଙ୍ଗା ସଉକରେ ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏକ ନୂଆ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ଫାଇନାନ୍ସିଆଲ୍ ପ୍ଲାଟଫର୍ମ Salaryse ପକ୍ଷରୁ ୫୨ ଲକ୍ଷରୁ ଅଧିକ Gen Z ଯୁବଙ୍କ UPI ଟ୍ରାଞ୍ଜାକ୍ସନ୍ ବିଶ୍ଳେଷଣ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ରିପୋର୍ଟ ଅନୁସାରେ, ଯୁବ କର୍ମଚାରୀମାନେ ନିଜ ଦରମାର ପ୍ରାୟ ୭୦% ଟଙ୍କା ଜରୁରୀ ଖର୍ଚ୍ଚ ଓ ପରିବାର ଦାୟିତ୍ୱ ପାଇଁ ବ୍ୟବହାର କରୁଛନ୍ତି। ଘରର ରାସନରେ ପ୍ରାୟ ଦରମାର ପ୍ରାୟ ୧୫.୭% ଖର୍ଚ୍ଚ କରୁଥିବା ବେଳେ ବିଲ୍ ଓ ସବ୍ସ୍କ୍ରିପସନରେ ପ୍ରାୟ ୨୦.୧% ପ୍ରତିଶତ ଖର୍ଚ୍ଚ କରୁଛନ୍ତି । ସେହିପରି ଫାଇନାନ୍ସିଆଲ୍ ସେବାରେ ପ୍ରାୟ ୧୨.୨%, ସପିଂରେ ପ୍ରାୟ ୧୧.୯% ଏବଂ ଖାଇବା-ପିଇବାରେ ପ୍ରାୟ ୧୧.୫% ପ୍ରତିଶତ ଖର୍ଚ୍ଚ କରୁଛନ୍ତି ।
Salaryseର ସହ-ପ୍ରତିଷ୍ଠାତା ପୀୟୁଷ ବଗଡ଼ିଆଙ୍କ ଅନୁସାରେ, Gen Z ଏଭଳି ଏକ ପିଢ଼ି ଯିଏ ନିଜ ଆର୍ଥିକ ଜୀବନକୁ ବହୁମାତ୍ରାରେ ଡିଜିଟାଲ୍ ମାଧ୍ୟମରେ ପରିଚାଳନା କରୁଛନ୍ତି । ମୋବାଇଲ୍ ରିଚାର୍ଜ, OTT ଓ ଆପ୍ ସବ୍ସ୍କ୍ରିପସନ୍ ଭଳି ଖର୍ଚ୍ଚ ବଢ଼ିଥିଲେ ମଧ୍ୟ ଯୁବପିଢ଼ି ପରିବାରର ଦାୟିତ୍ୱ ସହ ନିଜ ସ୍ୱାଧୀନତାର ସନ୍ତୁଳନ ରଖୁଛନ୍ତି । ଏହାସହ ସଞ୍ଚୟ ଓ ନିବେଶ ପ୍ରତି ମଧ୍ୟ Gen Zଙ୍କ ଆଗ୍ରହ ବଢ଼ୁଥିବା ରିପୋର୍ଟରୁ ଜଣାପଡ଼ିଛି । ଅର୍ଥାତ୍, କେବଳ ମଜା ଓ ସଉକରେ ଟଙ୍କା ଉଡ଼ାଉଥିବା ପିଢ଼ି ବୋଲି Gen Zଙ୍କୁ ଦେଖିବା ଧାରଣା ସମ୍ପୂର୍ଣ୍ଣ ଠିକ୍ ନୁହେଁ ବୋଲି କହିଛନ୍ତି । ଯାତାୟାତ ଓ ବୁଲାବୁଲି ପାଇଁ ସେମାନଙ୍କ ମାସିକ ଆୟର ପ୍ରାୟ ୫% ହିଁ ଖର୍ଚ୍ଚ କରୁଛନ୍ତି ।