ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍ରେ ଏହି କାରନାମା କରିବା ବହୁତ କଷ୍ଟକର ବୋଲି ମନାଯାଏ। କିନ୍ତୁ ଇଣ୍ଡୋନେସିଆର ୨୮ ବର୍ଷୀୟ ଡାହାଣ ହାତର ଫାଷ୍ଟ ବୋଲର ଗେଡେ ପ୍ରିୟାନ୍ଦନା ଏକ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ସେ ଏକ ଓଭରରେ ୫ ଉଇକେଟ୍ ନେଇ କ୍ରିକେଟ୍ ଜଗତରେ ତୁଫାନ ମଚାଇ ଦେଇଛନ୍ତି, ଯେଉଁଥିରେ ହେଟ୍ରିକ୍ ମଧ୍ୟ ଅନ୍ତର୍ଭୁକ୍ତ ଅଟେ।
ଇଣ୍ଡୋନେସିଆ ଟିମ୍ ବର୍ତ୍ତମାନ କମ୍ବୋଡିଆ ବିପକ୍ଷରେ ୮ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଖେଳୁଛି। ଏହି ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୨୩ ତାରିଖରେ ବାଲିରେ ଖେଳାଯାଇଥିଲା, ଯାହା ଟି୨୦ଆଇ କ୍ରିକେଟ୍ ଇତିହାସରେ ସ୍ଥାନ ପାଇଛି। କମ୍ବୋଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଣ୍ଡୋନେସିଆ ୨୦ ଓଭରରେ ୫ ଉଇକେଟ୍ ହରାଇ ୧୬୭ ରନ୍ କରିଥିଲା। ଏଥିରେ ଧର୍ମ କେସମା ୧୧୦ ରନର ଶତକୀୟ ପାରି ଖେଳିଥିଲେ, ଯେଉଁଥିରେ ୮ ଚୌକା ଓ ୬ ଛକା ଅନ୍ତର୍ଭୁକ୍ତ ଥିଲା। ଜବାବରେ କମ୍ବୋଡିଆ ୧୬ ଓଭରରେ ୧୦୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହାର ମୁଖ୍ୟ କାରଣ ଥିଲା ଗେଡେ ପ୍ରିୟାନ୍ଦନାଙ୍କ ବିସ୍ଫୋରକ ବୋଲିଂ। ସେ ନିଜର ପ୍ରଥମ ଓଭରରେ ହିଁ ୫ ଉଇକେଟ୍ ନେଇ ଇତିହାସ ରଚିଛନ୍ତି। ଏହା ଟି୨୦ଆଇ କ୍ରିକେଟ୍ରେ ପ୍ରଥମ ଥର ପାଇଁ ଘଟିଛି।
କମ୍ବୋଡିଆ ୧୫ ଓଭର ପରେ ୧୦୬ ରନରେ ୫ ଉଇକେଟ୍ ହରାଇଥିଲା ଏବଂ ମ୍ୟାଚ୍ ରୋମାଞ୍ଚକର ମୋଡ଼ରେ ଥିଲା। ସେତେବେଳେ ପ୍ରିୟାନ୍ଦନାଙ୍କୁ ଗେଣ୍ଡ ଦିଆଯାଇଥିଲା। ପ୍ରଥମ ତିନି ଗେଣ୍ଡରେ ହେଟ୍ରିକ୍ କରିଥିଲେ। ଏକ ଡଟ୍ ଗେଣ୍ଡ ପରେ ଆଉ ଦୁଇଜଣ ବ୍ୟାଟ୍ସମ୍ୟାନ୍ଙ୍କୁ ଆଉଟ୍ କରି ଓଭର ସମ୍ପୂର୍ଣ୍ଣ କରିଥିଲେ। ଏହି ଓଭରରେ କେବଳ ଏକ ଓ୍ୱାଇଡ୍ ରନ୍ ଆସିଥିଲା ଏବଂ କମ୍ବୋଡିଆର ପାରି ୧୦୭ ରନ୍ରେ ସିମିତ ହୋଇଯାଇଥିଲା। ଫଳରେ ଇଣ୍ଡୋନେସିଆ ୬୦ ରନରେ ବିଜୟୀ ହୋଇଥିଲା।
ଟି୨୦ କ୍ରିକେଟ୍ରେ ତୃତୀୟ ଥର ଘଟିଲା:
ଯଦିଓ ଘରୋଇ ଟି୨୦ କ୍ରିକେଟ୍ରେ ଏହା ପୂର୍ବରୁ ଦୁଇଥର ହୋଇଛି – ୨୦୧୩-୧୪ରେ ବାଙ୍ଗଲାଦେଶର ଆଲ୍-ଆମିନ୍ ହୁସେନ୍ (ଭିକ୍ଟୋରି ଡେ ଟି୨୦ କପ୍) ଏବଂ ୨୦୧୯-୨୦ରେ ଭାରତର ଅଭିମନ୍ୟୁ ମିଥୁନ୍ (ସୈୟଦ ମୁଶ୍ତାକ ଅଲୀ ଟ୍ରଫି) ଏହି କାରନାମା କରିଥିଲେ। କିନ୍ତୁ ଇଣ୍ଟରନ୍ୟାସନାଲ୍ ଟି୨୦ରେ ଏହା ପ୍ରଥମ ଥର ପାଇଁ ଘଟିଛି। ଗେଡେ ପ୍ରିୟାନ୍ଦନାଙ୍କ ଏହି ଅସାଧାରଣ ପ୍ରଦର୍ଶନ ଟି୨୦ଆଇ କ୍ରିକେଟ୍ର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲେଖାଯାଇଛି।


