Categories: ବାଣିଜ୍ୟ

୯% ପର୍ଯ୍ୟନ୍ତ ଖସିପାରେ ଜିଡିପି

ନୂଆଦିଲ୍ଲୀ,୨୮।୮: ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଘରୋଇ ବଜାରର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି) ୩ରୁ ୯%ରୁ ଖସିପାରେ। କରୋନା ପାଇଁ ବଜାର ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଛି। ସଂକ୍ରମଣ ରୋକିବା ଏବଂ ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା ଲାଗି ଭାରତ ସରକାର କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ସେ ଉପରେ ଜିଡିପିର ହ୍ରାସ ବୃଦ୍ଧି ନିର୍ଭର କରୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ମ୍ୟାକେଞ୍ଜିଂ ଗ୍ଲୋବାଲ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ଗୁରୁବାର ପ୍ରକାଶ ପାଇଥିବା ‘ଇଣ୍ଡିଆ ଟର୍ନିଂ ପଏଣ୍ଟ’ ନାମକ ଏକ ରିପୋର୍ଟରେ କୁହାଯାଇଛି ଯେ, କରୋନା ଯୋଗୁ ଅର୍ଥ ବ୍ୟବସ୍ଥା ଉପରେ ଲାଗିଥିବା ଝଟକା ଯୋଗୁ ବ୍ୟାଙ୍କିଙ୍ଗ୍‌ ସିଷ୍ଟମ ଉପରେ ଏହାର ଗଭୀର ପ୍ରଭାବ ପଡିବ। ପରିବାର, କ୍ଷୁଦ୍ର ବ୍ୟବସାୟ ଏବଂ କର୍ପୋରେଶନଗୁଡିକର ଆର୍ଥତ୍କ ସ୍ଥିତିରେ ଯଦି ଶିଘ୍ର ସୁଧାର ନ ଆସେ ତେବେ ଚଳିତ ଆର୍ଥତ୍କ ବର୍ଷରେ ବ୍ୟାଙ୍କଗୁଡିକର ଏନ୍‌ପିଏ ୭ରୁ ୧୪% ବଢିପାରେ। କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଏନ୍‌ପିଏ ଉପରେ ମହାମାରୀର ପ୍ରଭାବକୁ କମ୍‌ କରିବା ଦିଗରେ ସହାୟକ ହେବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ଏଥିରେ କୁହାଯାଇଛି ଯେ, ମହାମାରୀ ଆସିବା ଆଗରୁ ଭାରତୀୟ ଅର୍ଥ ବ୍ୟବସ୍ଥାର ମୌଳିକ ଢାଞ୍ଚା ବିଭିନ୍ନ ଚ୍ୟାଲେଞ୍ଜ ସ୍ଥିତି ଦେଇ ଗତି କରୁଛି। ଆର୍ଥତ୍କ ବର୍ଷ ୨୦୧୯-୨୦ରେ ଜିଡିପି ୪.୨%କୁ ଖସିଛି। ମହାମାରୀ ଏହି ସମସ୍ୟାକୁ ଆହୁରି ବଢାଇ ଦେଇଛି। ଦେଶର ଅଭିବୃଦ୍ଧିକୁ ବଜାୟ ରଖିବା ଲାଗି ଋଣ ଅଭିବୃଦ୍ଧିକୁ ୨୦୩୦ ଯାଏ ବଜାୟ ରଖିବା ଉପରେ ରିପୋର୍ଟରେ ଯୋର ଦିଆଯାଇଛି। ଏହାବାଦ ବଜାରରେ ସୁଧାର ପଦକ୍ଷେପ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ଶ୍ରମ ବଜାର ବ୍ୟବସ୍ଥାକୁ ମଜବୁତ କରିବା, ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା, ଟିକସ କ୍ଷେତ୍ରରେ ରହିଥିବା ସମସ୍ୟାକୁ ହଟାଇବା, ଶକ୍ତି କ୍ଷେତ୍ରରେ ସୁଧାର ଏବଂ ଓନରସିପ ଟିକସ ଭଳି ବିଭିନ୍ନ ଦିଗ ଉପରେ କେନ୍ଦ୍ର ସରକାର କାମ କରିବା ଉପରେ ଏଥିରେ ପରାମର୍ଶ ପ୍ରଦାନ କରାଯାଇଛି।
ପରିବାରଗୁଡିକର ସଞ୍ଚୟ ବଢାଇବା ଦିଗରେ କ୍ୟାପିଟାଲ କଷ୍ଟକୁ କମ୍‌ କରିବା ଲାଗି ରିପୋର୍ଟରେ ପରାମର୍ଶ ଦିଆଯାଇଛି। ପରିବାର ଗୁଡିକର ସଞ୍ଚୟ ଉନ୍ନତ ହେଲେ ଏହା ଜିଡିପି କ୍ଷେତ୍ରରେ ଉନ୍ନତ ଯୋଗଦାନ ରଖିବ। ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିବା ଲାଗି ସରକାର ଘୋଷଣା କରିଥିବା ପଦକ୍ଷେପ ଦ୍ୱାରା ବିତ୍ତୀୟ ନିଅଣ୍ଟ ପ୍ରଭାବିତ ହେବା ବୋଲି କୁହାଯାଇଛି। ଭାରତର ବିତ୍ତୀୟ ନିଅଣ୍ଟ ୪%ରୁ ଉର୍ଦ୍ଧ୍ୱ ଟପିବା ନେଇ ଆକଳନ କରାଯାଇଥିବା ବେଳେ ଏହା ୩.୫% ରହିବା ନେଇ ବଜେଟରେ ଲକ୍ଷ୍ୟ ରଖାଯାଇଥିଲା।

Share