Categories: ବାଣିଜ୍ୟ

୭.୫% ରହିବ ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ, ୭ା୪: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ଗ୍ଲୋବାଲ୍‌ ଇକୋନୋମି ସଙ୍କଟ ମଧ୍ୟରେ ଭାରତର ବିକାଶ ଦର ୭.୫% ରହିବ। ତେବେ ଦକ୍ଷିଣ ଏସିଆର ମୋଟ୍‌ ବିକାଶ ହାର ୭% ରହିବ ବୋଲି ଏସିଆନ୍‌ ଡେଭେଲପ୍‌ମେଣ୍ଟ ବ୍ୟାଙ୍କ୍‌ (ଏଡିବି) ପକ୍ଷରୁ ଅନୁମାନ କରାଯାଇଛି। ଏଡିବି ପକ୍ଷରୁ ଏସିଆନ୍‌ ଡେଭେଲପ୍‌ମେଣ୍ଟ ଆଉଟ୍‌ଲୁକ୍‌-୨୦୨୨ ଜାରି କରାଯାଇ କୁହାଯାଇଛି ଯେ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଭାରତୀୟ ଅର୍ଥବ୍ୟବସ୍ଥାରେ ବିକାଶ ହାର ୭.୫% ରହିବ। ତେବେ ଆସନ୍ତା ବର୍ଷ ଅର୍ଥାତ୍‌ ଚଳିତ ଆର୍ଥିକ ବର୍ଷର ଶେଷ ଆଡ଼କୁ ଏହି ବିକାଶ ହାର ୮%କୁ ବୃଦ୍ଧି ହୋଇପାରେ ବୋଲି ମଧ୍ୟ କୁହାଯାଇଛି। ଏଡିବି ରିପୋର୍ଟ ଅନୁସାରେ, ଚଳିତ ଆର୍ଥିକ ବର୍ଷରେ ସମ୍ପୂର୍ଣ୍ଣ ଦକ୍ଷିଣ ଏସିଆର ବିକାଶ ହାର ଧିମା ରହିବ। ଦକ୍ଷିଣ ଏସିଆର ସର୍ବବୃହତ୍‌ ଅର୍ଥ ବ୍ୟବସ୍ଥା ଥିବା ଦେଶ ଭାରତ ହୋଇଥିବା ବେଳେ ୨ୟରେ ପାକିସ୍ତାନ ରହିଛି। ତେଣୁ ଦକ୍ଷିଣ ଏସିଆର ବିକାଶ ହାର ମୋଟାମୋଟି ଭାବରେ ଏହି ଦୁଇ ଦେଶ ଉପରେ ନିର୍ଭର କରେ। ଏଡିବି ରିପୋର୍ଟ ଅନୁସାରେ ଚଳିତ ବର୍ଷ ପାକିସ୍ତାନର ବିକାଶ ହାର ୪% ରହିବ। ଘରୋଇ ଚାହିଦା କମ୍‌ ରହିଥିବାରୁ ଏଭଳି ସ୍ଥିତି ହେବ ବୋଲି ଏଡିବି ପକ୍ଷରୁ କୁହାଯାଇଛି। ତେବେ ସମଗ୍ର ଏସିଆ ମହାଦେଶର ଦେଶଗୁଡିକର ଘରୋଇ ଡିମାଣ୍ଡ୍‌ରେ ସୁଧାର ଆସିଛି। ଫଳରେ ଚଳିତ ବର୍ଷ ଏସିଆର ବିକାଶଶୀଳ ଦେଶଗୁଡିକର ଅର୍ଥବ୍ୟବସ୍ଥାରେ ୫.୨%ର ସାମୂହିକ ବୃଦ୍ଧି ଦେଖିବାକୁ ମିଳିବ ବୋଲି ଏଡିବି ଅନୁମାନ କରିଛି।

Share