Categories: ଫୁରସତ

ଚର୍ଚ୍ଚାରେ ସମଲିଙ୍ଗୀଙ୍କ ଫଟୋଶୁଟ୍‌

ନୂଆଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ଏକ ସମଲିଙ୍ଗୀ କପୁଲଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦୁହେଁ ବିବାହ ଫଟୋଶୁଟ୍‌ କରୁଥିବା ନଜରକୁ ଆସିଛନ୍ତି। ରିପୋର୍ଟ ମୁତାବକ, ଉଭୟ ଫାତିମା ନୁରା ଏବଂ ଅଦିଲା ନସ୍‌ରିନ୍‌ କେରଳର ବାସିନ୍ଦା। ଅଦିଲା ଯୁକ୍ତ ୨ ପଢିବା ସମୟରେ ଫାତମାଙ୍କୁ ପସନ୍ଦ କରିବା ଆରମ୍ଭ କରିଥିଲେ। ସେତେବେଳେ ଦୁହେଁ ସାଉଦି ଆରବରେ ପଢୁଥିଲେ। ପରେ ଉଭୟ ଭାରତ ଆସି ତାଙ୍କ ଡିଗ୍ରୀ ପାଠପଢା ଶେଷ କରିଥିଲେ। କରୋନା ମହାମାରୀ ଯୋଗୁ ଫାତିମା ପରିବାର ସହ ସାଉଦି ଆରବ ପଳାଇଯାଇଥିଲେ। ସେଠାରେ ଘର ଲୋକଙ୍କୁ ତାଙ୍କ ପ୍ରେମ କାହାଣୀ ବିଷୟରେ ଜଣା ପଡିଥିଲା। ଦୁହିଁଙ୍କ ପରିବାରରେ ସେମାନଙ୍କ ପ୍ରେମ ସମ୍ପର୍କକୁ ଗ୍ରହଣ ନ କରିବାରୁ ସେମାନେ ଶାରୀରିକ ଓ ମାନସିକ ଭାବରେ ଅତ୍ୟାଚିରାତ ହେଉଥିଲେ। ତାଙ୍କ ଘର ଲୋକ ସେମାନଙ୍କ ବିବାହ ପାଇଁ ପୁଅ ଖୋଜିବା ଆରମ୍ଭ କରିଦେଇଥିଲେ। ତେବେ ସେମାନଙ୍କ ପାଠପଢା ସରିବା ବେଳକୁ ଉଭୟଙ୍କୁ ଚେନ୍ନାଇରେ ଚାକିରି ମିଳିଯାଇଥିଲା। ସେମାନେ ସେଠାରେ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ, ହେଲେ ତାଙ୍କ ପରିବାର ଲୋକଙ୍କୁ ଏହା ପସନ୍ଦ ନ ଥିଲା। ଦୁହେଁ ଚଳିତ ବର୍ଷ ମେ ୧୯ରେ ଘର ଛାଡି ଅନ୍ୟ ଏକ ଜାଗାରେ ଆଶ୍ରୟ ନେଇଥିଲେ। କିନ୍ତୁ ଦୁହିଁଙ୍କ ପରିବାର ଲୋକେ ସେମାନଙ୍କୁ ପୁଣି ଘରକୁ ଆଣିଥିଲେ। ପରେ ଅଦିଲା ତାଙ୍କ ହକ୍‌ ପାଇଁ କେରଳ କୋର୍ଟରେ ପହଞ୍ଚିବା ପରେ ମେ’ ୩୧ରେ ତାଙ୍କୁ ଏକାଠି ରହିବାକୁ କୋର୍ଟରୁ ଅନୁମତି ମିଳିଥିଲା। ଏବେ ଦୁହେଁ ଚେନ୍ନାଇର ଆଇଟି କମ୍ପାନୀରେ କାମ କରିବା ସହ ଏକାଠି ରହୁଛନ୍ତି।

Share