ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା। ବୋଲିଂ ବିଭାଗର ପ୍ରଦର୍ଶନରେ ସୁଧାର ଦ୍ୱାରା ହିଁ ଦଳର ଭାଗ୍ୟ ପରିବର୍ତ୍ତନ ହୋଇପାରିବ। ସିଏସ୍କେ ଏପର୍ଯ୍ୟନ୍ତ ଖେଳିଥିବା ଦୁଇଟି ମ୍ୟାଚ୍ରେ ପରାଜିତ ହୋଇଛି।
ଏପର୍ଯ୍ୟନ୍ତ ଯାହା ଦେଖିଛୁ, ସିଏସ୍କେର ସବୁଠୁ ବଡ଼ ସମସ୍ୟା ହେଉଛି ସେମାନଙ୍କ ବୋଲିଂ। ଏହାର ଅର୍ଥ ବୋଲରଙ୍କୁ ସୁଯୋଗ ଦେବା ପାଇଁ ସେମାନଙ୍କୁ ନିୟମିତ ୨୨୫-୨୩୦ ରନ କରିବାକୁ ପଡ଼ିବ। ପ୍ରାୟତଃ ଦଳ ପାଖରେ ବ୍ୟାଟିଂ ଗଭୀରତା ରହିଛି। ଉଦାହରଣ ସ୍ୱରୂପ ପଞ୍ଜାବ କିଙ୍ଗ୍ସ ପାଇଁ ନଂ-୭ରେ ମାର୍କସ ଷ୍ଟୋଇନିସ ବ୍ୟାଟିଂ କରୁଛନ୍ତି। ଅନେକ ଦଳ ପାଖରେ ଗଭୀର ବ୍ୟାଟିଂ ଲାଇନଅପ୍ ଥିବାରୁ ଚେନ୍ନାଇକୁ ତା’ର ବୋଲିଂ ଅର୍ଡରରେ ସୁଧାର ଆଣିବାକୁ ପଡ଼ିବ“ ବୋଲି ଗାଭାସ୍କର ଷ୍ଟାର ସ୍ପୋଟର୍ସକୁ କହିଛନ୍ତି।
ଏହାବାଦ୍ ସେ ଆୟୁଷ ମାହାତ୍ରେଙ୍କ ସମ୍ପର୍କରେ ପ୍ରକାଶ କରିଛନ୍ତି, ମୋ ମତରେ ନଂ-୩ ମାହାତ୍ରେଙ୍କ ଲାଗି ଭଲ ପୋଜିଶନ। ସେ ୧୯ ବର୍ଷରୁ କମ୍ କ୍ରିକେଟରେ ଲୋୟର ଅର୍ଡରରେ ବ୍ୟାଟିଂ କରିଛନ୍ତି। କିନ୍ତୁ ତାଙ୍କୁ ନଂ-୩ ପୋଜିଶନ ସୁହାଇବ। ସେ ଗତ ମ୍ୟାଚ୍ରେ ପ୍ରଥମ ବଲରେ ଆଉଟ୍ ହୋଇଥିଲେ। କିନ୍ତୁ ଏଥିଯୋଗୁ ସେ ପ୍ରଭାବିତ ହୋଇ ନ ଥିଲେ। ଏହା ହିଁ ପରବର୍ତ୍ତୀ ପିଢ଼ିର ଚିନ୍ତାଧାରାର ସୌନ୍ଦର୍ଯ୍ୟ। ସେମାନେ ଅତୀତ କଥା ଅଧିକ ଚିନ୍ତା କରନ୍ତି ନାହିଁ ଏବଂ ବର୍ତ୍ତମାନ ଉପରେ ଧ୍ୟାନ ଦିଅନ୍ତି।

