ଗ୍ୟାସ୍‌ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ, ଗାଡ଼ି ଚଳାଚଳ ବନ୍ଦ

ପଟ୍ଟାଙ୍ଗି,୩୦ା୧୧(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ରାଜୁଗଡ଼ା-ତେଲରାଇ ଗ୍ରାମ ମଝି ଜାତୀୟ ରାଜପଥରେ ମଙ୍ଗଳବାର ଏକ ଏଚ୍‌ପି ଗ୍ୟାସ ଟ୍ୟାଙ୍କର ଓଲଟି ପଡିଛି। ସେଥିରୁ ଗ୍ୟାସ ଲିକ୍‌ କରୁଥିବାରୁ ଉକ୍ତ ରାସ୍ତାରେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ କୌଣସି ଗାଡି ଚଳାଚଳ ନ କରିବାକୁ ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଉକ୍ତ ଟ୍ୟାଙ୍କର (ସିଜି୦୭ବିଏଲ୍‌-୧୬୮୪)ଟି ବିଶାଖାପାଟଣାରୁ ଛତିଶଗଡ଼ର ରାୟପୁରକୁ ଯାଉଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ ଏବଂ ପୋଲିସ ପହଞ୍ଚତ୍ ଉକ୍ତ ରାସ୍ତାରେ ଗାଡିମୋଟର ଚଳାଚଳକୁ ବନ୍ଦ କରି ଦେଇଥିଲେ। ଯେକୌଣସି ଅଘଟଣ ରୋକିବା ପାଇଁ ଅଗ୍ନିଶମ ବିଭାଗ ଅଧିକାରୀ ଚିତ୍ତରଞ୍ଜନ ସେଠୀଙ୍କ ତତ୍ତ୍ୱାବଧାନରେ ଦମକଳ ବାହିନୀ ସେଠାରେ ସଜାଗ ରହିଛି। ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କର ଉପରକୁ ପାଣି ମାରି ଲିକ୍‌ ହେଉଥିବା ଗ୍ୟାସକୁ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ ଜାରି ରହିଛି। ଦୁର୍ଘଟଣାରେ ଟ୍ୟାଙ୍କର ଚାଳକଙ୍କ କୌଣସି କ୍ଷତି ହୋଇନାହିଁ। କୋରାପୁଟ ଜିଲାପାଳ ଅବଦାଲ ଏମ୍‌. ଅଖତର ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣା ଯୋଗୁ ଗାଡ଼ି ମୋଟର ଚଳାଚଳ ବନ୍ଦ ଥିବା ସମ୍ପର୍କରେ ଟୁଇଟ୍‌ ଯୋଗେ ଲୋକଙ୍କୁ ଅବଗତ କରାଇଛନ୍ତି। ମାତ୍ର ଯେଉଁ ଯାତ୍ରୀମାନେ ଆନ୍ଧ୍ର ଅଭିମୁଖେ ଯିବାକୁ ଚାହିଁବେ, ସେମାନେ ପଟ୍ଟାଙ୍ଗି ପୂର୍ବରୁ ଥିବା ପୁକାଲି ଛକଠାରୁ ଡାହାଣକୁ ଯାଇଥିବା ରାସ୍ତାରେ ଯାଇ ପୁକାଲି ସାପ୍ତାହିକ ହାଟରୁ ବାମପଟେ ଅନ୍ୟ ଏକ ରାସ୍ତାରେ ଚନ୍ଦକା ରାଲେଗଡା ଦେଇ ଆନ୍ଧ୍ର ଅଭିମୁଖେ ଯାଇପାରିବେ ବୋଲି ଅବଗତ କରାଇଛନ୍ତି। ଏ ସମ୍ପର୍କରେ ବ୍ଲକ ଉପାଧ୍ୟକ୍ଷ ତ୍ରିନାଥ କଟାଙ୍କୁ ପଚାରିବାରୁ ସେ କହିଲେ, ରେଲେଗଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରେ ନିଆଁ ଲଗାଇବାକୁ ପୋଲିସ ଆସି ମନା କରିଛି। ଫଳରେ ବର୍ତ୍ତମାନ ଲୋକେ ରୋଷେଇବାସ କରିପାରି ନାହାନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ କୌଣସି ଖାଦ୍ୟ ବ୍ୟବସ୍ଥା କରାଯାଇନାହିଁ।