ବରଗଡ଼,୨୭ା୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସହରର ଯୁଆଡ଼େ ଦେଖିଲେ କୁଢ଼କୁଢ଼ ମଇଳା, ଆବର୍ଜନା ପଡ଼ିରହିଛି। ସେହିପରି ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ଓ ନର୍ଦ୍ଦମା ପାଣି ଦୀର୍ଘଦିନ ହେଲା ଜମି ରହିଛି। ସେଥିପାଇଁ ବସ୍ଷ୍ଟାଣ୍ଡ, ସ୍କୁଲ, ଡାକ୍ତରଖାନା, ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାସ୍ତାଘାଟ ପାର୍ଶ୍ୱରେ ନାକଫଟା ଗନ୍ଧ ବାହାରୁଛି। ରୋଗ, ଜୀବାଣୁଙ୍କ ଉପଦ୍ରବ ହେଉଛି। ଏଭଳି ସ୍ଥିତିରେ ସହରରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଘରେ ଘରେ ଲୋକେ ରୋଗାକ୍ରାନ୍ତ ହେଉଥିବା ବେଳେ ଏହାର ପ୍ରତିକାର ବ୍ୟବସ୍ଥା କରାନଗଲେ ଆଗକୁ ସହରରେ ଡେଙ୍ଗୁ, ମ୍ୟାଲେରିଆ ଭଳି ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି।
ବରଗଡ଼ ସହର ଜିଲାର ସଦର ମହକୁମା ଅଟେ। ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ସମେତ ସବୁ ବିଭାଗର ମୁଖ୍ୟ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲାପାଳଙ୍କ କାର୍ଯ୍ୟାଳୟ ରହିଛି। ସବୁ ବିଭାଗର ପଦାଧିକାରୀ ଅବସ୍ଥାପିତ ରହିଥିବା ସତ୍ତ୍ୱେ ଏଠାରେ ପରିମଳ ଏବଂ ନର୍ଦ୍ଦମା ଜଳ ନିଷ୍କାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିବା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଏଥିରୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ପାଇଁ ସଂଲଗ୍ନ ରାସ୍ତା ମଧ୍ୟ ବାଦ୍ ପଡ଼ିନାହିଁ। ସେଠାରେ ବର୍ଷାହେଲେ ପାଣି ଜମି ରହୁଛି। ତାକୁ ଲାଗି ରହିଥିବା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ମଧ୍ୟ ବାଦ୍ ପଡ଼ିନାହିଁ। ସେଠାରେ ମଧ୍ୟ ଅନୁରୂପ ସମସ୍ୟା ଦେଖାଯାଇଛି। ଚଳିତବର୍ଷ ପ୍ରଥମ ବର୍ଷାରୁ ସେଭଳି ସ୍ଥିତି ଉପୁଜିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରାନଯିବା ବିଭାଗୀୟ ଅପାରଗତାକୁ ପଦାରେ ପକାଇଦେଇଛି।
ବରଗଡ଼ ସରକାରୀ ବସଷ୍ଟାଣ୍ଡ୍ ସମସ୍ୟା ମଧ୍ୟ କାହାକୁ ଅଜଣା ଅଛପା ରହି ନାହିଁ। ସବୁଦିନ ସ୍ଥାନୀୟ ଜନ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ଆଖିରେ ଏହି ସମସ୍ୟା ପଡୁଛି। ମାତ୍ର ସେମାନେ ଏଥିପ୍ରତି ଆଖି ବୁଜି ଦେଇଛନ୍ତି। ଏଠାରେ ମଧ୍ୟ ଠିକ୍ଭାବେ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଦୀର୍ଘଦିନ ଧରି ବର୍ଷାଜଳ ଜମି ରହୁଛି। ସହରସ୍ଥିତ ଗଳିକନ୍ଦିର ଅବସ୍ଥା ଆହୁରି ସାଂଘାତିକ। ଡ୍ରେନ୍(ନାଳା)ଗୁଡ଼ିକରେ ମଇଳା, ଆବର୍ଜନା ପୋତି ହୋଇ ରହିଛି। ଫଳରେ ବର୍ଷାଜଳ ଠିକ୍ଭାବେ ନିଷ୍କାସନ ହୋଇପାରୁ ନାହିଁ ଏବଂ ସେଠାରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଥିବାରୁ ଲୋକଙ୍କ ଜୀବନ ଅତିବାହିତ କରିବା ମଧ୍ୟ କଷ୍ଟସାଧ୍ୟ ହୋଇ ପଡୁଛି।
ସହରରେ ମଇଳା, ଆବର୍ଜନା କଥା ନ କହିବା ଭଲ। ଏଠାରେ ସବୁଆଡ଼େ ସ୍ତୂପଭଳି ମଇଳା, ଆବର୍ଜନା ଗଦା ହୋଇଛି। ସ୍ଥାନୀୟ ଜର୍ଜ ହାଇସ୍କୁଲ ସମ୍ମୁଖରେ ସକାଳୁ ପରିବା ବଜାର ବସୁଛି। ଫଳରେ ସ୍କୁଲ ପାଚେରିକୁ ଲାଗି ମଇଳା, ଆବର୍ଜନା ସବୁଦିନ ଗଦା ହୋଇ ପଡ଼ିରହୁଛି। ଅନ୍ୟପଟେ ସ୍କୁଲ ପାଚେରିରେ ବିଭିନ୍ନ ମହାପୁରୁଷଙ୍କ ଚିତ୍ର ଅଙ୍କାଯାଇଛି। ଫଳରେ ମହାପୁରୁଷଙ୍କ ପ୍ରତିଛବି ତଳେ ଆବର୍ଜନା ଗଦା ଅଞ୍ଚଳବାସୀଙ୍କ ଭାବାବେଗକୁ ଆଘାତ ଦେଇଛି। ହାଟପଦା ବଜାରରେ ମଧ୍ୟ ତଦ୍ରୂପ ସ୍ଥିତି। ବିଭିନ୍ନ ସ୍ଥାନରେ ଆବର୍ଜନା ପଡ଼ି ରହୁଥିବାବେଳେ ଜଳ ନିଷ୍କାସନ ବ୍ୟବସ୍ଥା ଠିକ୍ ନ ଥିବାରୁ ହାଟପଦା ପରିସର କର୍ଦ୍ଦମାକ୍ତ ହୋଇ ପଡ଼ିରହୁଛି। ସ୍ଥାନୀୟ ଥାନା ଏବଂ ଡାକ୍ତରଖାନା ପରିସର ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ଡାକ୍ତରଖାନା ଏବଂ ଥାନା ପାଚେରି ପରିସରରେ ଆବର୍ଜନା ଗଦା ପଡ଼ି ରହିଥିବାବେଳେ ସେଠାରେ ଗାଈଗୋରୁ, ଘୁଷୁରି ଚରୁଥିବା ଦେଖିବାକୁ ମିଳୁଛି। ସହର ମଧ୍ୟରେ ଲାଗି ରହିଥିବା ଏଭଳି ଅବସ୍ଥାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି।