ଆମ୍ବୁଲାନ୍ସ ଅଧିକ ଚାର୍ଜ କଲେ ୧୧୨କୁ ଡାଏଲ କରିବାକୁ ଗଞ୍ଜାମ ଏସ୍‌ପିଙ୍କ ଅନୁରୋଧ

ଛତ୍ରପୁର,୧୩।୫(ଡି.ଏନ୍‌.ଏ.): କୋଭିଡ୍‌ ନିୟନ୍ତ୍ରଣ ପାଇଁ ଗଞ୍ଜାମ ଜିଲାରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ସମୟରେ ବିଭିନ୍ନ ହସ୍ପିଟାଲକୁ ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ଆମ୍ବୁଲାନ୍ସଗୁଡ଼ିକ ଅଧିକ ଚାର୍ଜ ନେଉଥିବା ଅଧିକାଂଶ ସମୟରେ ଅଭିଯୋଗ ହେଉଛି। କୌଣସି ଆମ୍ବୁଲାନ୍ସ ଲକ୍‌ଡାଉନ୍‌ ସମୟରେ ରୋଗୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର ପାଇଁ ଅଧିକ ଚାର୍ଜ କରୁଥିଲେ ୧୧୨ନଂ.କୁ ଡାଏଲ କରି ସମ୍ପୃକ୍ତ ବିଷୟରେ ଜଣାଇବାକୁ କୁହାଯାଇଛି। ଏନେଇ ଗଞ୍ଜାମର ଜନସାଧାରଣଙ୍କୁ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ସେ ଟୁଇଟ୍‌ କରିବା ସହ ଅନ୍ୟ ସୋସିଆଲ ମିଡିଆରେ ଜନସାଧାରଣଙ୍କୁ ଅବଗତ କରିଛନ୍ତି। ଏହି ଖବର ପାଇଲେ ଗଞ୍ଜାମ ପୋଲିସ ସମ୍ପୃକ୍ତ ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଗଞ୍ଜାମ ପୋଲିସ ଜିଲା ଅଧୀନ ସମସ୍ତ ଥାନା ପକ୍ଷରୁ ନିଜ ନିଜ ଅଞ୍ଚଳରେ ଲକ୍‌ଡାଉନ୍‌ ଓ କୋଭିଡ ନିୟମକୁ ପାଳନ ପାଇଁ କଡ଼ା ଏନଫୋର୍ସମେଣ୍ଟ୍‌ କରାଯାଉଥିବା ଏସ୍‌ପି ଟୁଇଟ୍‌ କରି ସୂଚନା ଦେଇଛନ୍ତି।