ଗଞ୍ଜାମ ଏନ୍‌ଏସି : ପିଛା ଛାଡୁନି ପାଣି ସମସ୍ୟା

ଗଞ୍ଜାମ,୨୩ା୫(ଡି.ଏନ୍‌.ଏ.): ଦିନକୁ ଦିନ ସହରରେ ତାତି ଅସହ୍ୟ ହେବାରେ ଲାଗିଛି। ସକାଳ ୮ଟାରୁ ସନ୍ଧ୍ୟା ପ୍ରାୟ ୫ଟା ଯାଏ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏଭଳି ପରିସ୍ଥିତିରେ ଗଞ୍ଜାମ ସହରରେ ପାଣି ସମସ୍ୟା ଲୋକଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ସହର ମଧ୍ୟରେ ଥିବା ବିଭିନ୍ନ ପୋଖରୀ ଓ ନଳକୂପ ଶୁଖିଯାଇଥିବାରୁ ଲୋକଙ୍କୁ ସୁବିଧାରେ ପାଣି ମିଳୁନାହିଁ। ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ. ୭ ବାଲିସାହି ବନ୍ଧ ଦୀର୍ଘ ବର୍ଷ ହେବ ଶୁଖି ଫାଟିପଡିଛି। ଏ ନେଇ ସାହି ବାସିନ୍ଦା ଉକ୍ତ ପୋଖରୀର ପୁନରୁଦ୍ଧାର ପାଇଁ ତହସିଲଦାର ଓ ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ସାହି ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି। ଏନ୍‌ଏସି ପ୍ରଶାସନ ପକ୍ଷରୁ ବର୍ଷାଦିନ ପୂର୍ବରୁ ବିଭିନ୍ନ ପୋଖରୀ ପୁନରୁଦ୍ଧାର କରାଯିବା ନିୟମ ଥିଲେ ମଧ୍ୟ ଏଠାରେ ତାହା ବ୍ୟତିକ୍ରମ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ସେହିପରି ଦାମୋଦରପୁର ନାଉଡି ବନ୍ଧ ମଧ୍ୟ ଅଧାଅଧି ଶୁଖିଗଲାଣି। ଅଳ୍ପ ଟିକେ ପାଣି ଅଛି ଯେଉଁଥିରେ ଉକ୍ତ ପାଣି ବ୍ୟବହାର ଯୋଗ୍ୟ ନୁହେଁ। ଉକ୍ତ ବନ୍ଧ ଉପରେ ଦାମୋଦରପୁର ଗ୍ରାମ ସମେତ କାଇଁଚପୁର, କଲ୍ୟାଣପୁର ଆଦି ଅଞ୍ଚଳର ଲୋକମାନେ ନିର୍ଭର କରିଥାନ୍ତି। ଗଞ୍ଜାମ ସହରକୁ ବିଭିନ୍ନ ବ୍ୟବସାୟ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଛୋଟ ବଡ଼ ପରିବା ବ୍ୟବସାୟୀ ନିଜ ବ୍ୟବସାୟ ସାରି ଉକ୍ତ ବନ୍ଧରେ ସ୍ନାନ କରି ନିଜ ନିଜ ଗ୍ରାମକୁ ଯାଇଥାନ୍ତି। ସେହିପରି ଖଣ୍ଡେଶ୍ୱର ବନ୍ଧ ଓ ନାକି ବନ୍ଧର ଅବସ୍ଥା ନ କହିବା ଭଲ। ଅନ୍ୟପଟେ ଅଚଳ ହୋଇପଡ଼ିଥିବା ନଳକୂପଗୁଡିକ ମରାମତି କରାଯାଉନାହିଁ। ପ୍ରତିବର୍ଷ ଏନ୍‌ଏସି ପକ୍ଷରୁ କୂଅଗୁଡିକର ପୁନରୁଦ୍ଧାର କରାଯାଉଥିଲେ ବି ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ହୋଇପାରିନାହିଁ। ଏଣୁ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଇ ଲୋକଙ୍କ ମୌଳିକ ସମସ୍ୟା ତଥା ପାଣି ସମସ୍ୟା ସମାଧାନ କରିବାକୁ ଦାବି ହୋଇଛି।