ଗଞ୍ଜାମରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଛତ୍ରପୁର,୨୨।୧୦(ଡି.ଏନ.ଏ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ରହିଛି। ଶୁକ୍ରବାର ଆଭାସୀ ବୈଠକରେ ବାତ୍ୟା ପ୍ରଭାବିତ ହେବାକୁ ଥିବା ସମସ୍ତ ଜିଲାର ଜିଲାପାଳମାନଙ୍କ ସହିତ ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ପ୍ରଦୀପ୍ତ କୁମାର ଜେନା ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ବୈଠକରେ ଉପସ୍ଥିତ ଥିଲେ। ଏସଆର୍‌ସି କହିଛନ୍ତି, ବାତ୍ୟା ସମୁଦ୍ର ମଧ୍ୟ ଦେଇ ବାଂଲାଦେଶ ସ୍ଥଳଭାଗକୁ ସ୍ପର୍ଶ କରିବ। ସମୁଦ୍ର ଅଶାନ୍ତ ରହିବ। ଗଞ୍ଜାମ ଜିଲାକୁ ଏହାର ପ୍ରଭାବ ପଡି ନ ପାରେ ବୋଲି ଜଣାଇଛନ୍ତି। ତଥାପି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ସଂପୂର୍ଣ୍ଣ ବାରଣ କରାଯାଉଛି । ତଳିଆ ଅଞ୍ଚଳରେ କିମ୍ବା ମାଟିକାନ୍ଥ ଅବା କଚ୍ଚା ଘରେ ରହୁଥିବା ଲୋକଙ୍କୁ ନିକଟସ୍ଥ ଗ୍ରାମପଞ୍ଚାୟତ କୋଠାଘର ବିଦ୍ୟାଳୟ କିମ୍ବା ବାତ୍ୟା ଆଶ୍ରୟସ୍ଥଳରେ ରଖି ରନ୍ଧାଖାଦ୍ୟ,ପାନୀୟଜଳ ଆଦି ଯୋଗାଇ ଦେବାକୁ ଅବଗତ କରାଇଥିଲେ। ଗଞ୍ଜାମ ଜିଲାପାଳ ସମସ୍ତ ସରକାରୀ କର୍ମଚାରୀ ନିଜ ନିଜ ହେଡକ୍ୱାର୍ଟର ରହିବେ, ସମସ୍ତ ଛୁଟି ବାତିଲ କରାଯାଇଥିବା ଜଣାଇଥିଲେ। ଏଥିସହ ଓଡ୍ରାଫ ଟିମକୁ ପ୍ରସ୍ତୁତ କରି
ରଖିବା ସହିତ ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ ଜଣାଇଛନ୍ତି । ବୈଠକରେ ଗଞ୍ଜାମ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି. କୀର୍ତ୍ତିଭାସନ, ପ୍ରୋବେସୋନାରୀ ଆଇଏଏସ, ଧୀନା, ଛତ୍ରପୁର ଉପ ଜିଲାପାଳ ପ୍ରସନ୍ନ କୁମାର ପାତ୍ର, ଜିଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ ଚନ୍ଦ୍ର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।