ଭବାନୀପାଟଣା,,୯।୪((ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଞ୍ଚଳରେ ଗତ ମାର୍ଚ୍ଚ ୨୬ ତାରିଖ ରାତିରେ ଜଣେ ଯୁବତୀ ଗଣବଳାତ୍କାର ଶିକାର ହୋଇଥିବା ଅଭିଯୋଗ ଆସିଥିଲା। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଉକ୍ତ ଗ୍ରାମର ତୁଳସି ରାମ ବିଶ୍ୱାଳ (୫୫)ଙ୍କୁ ପୋଲିସ ଗିରଫ କରି ୧ତାରିଖରେ କୋର୍ଟ ଚାଲାଣ କରିଥିଲା। ତେବେ ଘଟଣାରେ ଆଉ ୩ ଜଣ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ ପାଇଁ ସୋମବାର ସାରେ କଳାହାଣ୍ଡି ଏସ୍ପି ନାଗରାଜ ଦେବରକୋଣ୍ଡା ଜୁନାଗଡ଼ ଥାନାକୁ ଆସିଥିଲେ। ଏହାପରେ ପୋଲିସ ତତ୍ପରତା ଦେଖାଇ ନାବାଳକ ସମେତ ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା। ଏଥିରେ ୩ ଜଣ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲା। ମଙ୍ଗଳବାର ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପୀଡିତାଙ୍କ ଗ୍ରାମର ମନୋଜ ପୂଜାରୀ (୧୯), ଡିଙ୍ଗର ପ୍ରଧାନୀ (୨୧) ଓ ଜଣେ ନାବାଳକ। ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିବା ଜଣାପଡିଛି। ବର୍ତ୍ତମାନ ଘଟଣାରେ ସାମିଲ ଥିବା ସମସ୍ତ ୩ ଅଭିଯୁକ୍ତଙ୍କ ସହ ଜଣେ ନାବାଳକ ଧରାପଡିଥିବା ପୋଲିସ ସୂଚନା ଦେଇଛି। ପ୍ରକାଶ ଯେ, ଗତ ୨୬ ତାରିଖ ରାତିରେ ଯୁବତୀ ଜଣକ ଗ୍ରାମରେ ହେଉଥିବା ନାଟକ ଦେଖିବାକୁ ଯାଉଥିବାବେଳେ ମୁଖ୍ୟ ଅଭିଯୁକ୍ତ ସମେତ ୩ ସହଯୋଗୀ ନିଛାଟିଆ ସ୍ଥାନକୁ ନେଇ ଗଣ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ମୁମୁର୍ଷୂ ଅବସ୍ଥାରେ ପୀଡିତାଙ୍କୁ ଏକ ନଳକୂପ ନିକଟରୁ ଉଦ୍ଧାର କରାଯାଇଥିଲା। ଏପ୍ରିଲ ୧ରେ ପୀଡିତାଙ୍କୁ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଏହା ଗଣ ବଳାତ୍କାର ବୋଲି କହିବା ପରେ ପୀଡିତାଙ୍କ ଭାଉଜ ଜୁନାଗଡ଼ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା (ନଂ.୨୬୫/୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ଖବର ପ୍ରଥମେ ଗତ ୩ ତାରିଖରେ ଧରିତ୍ରୀରେ ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟ, ୫ବର୍ଷ ତଳେ ଜୁନାଗଡ଼ ଥାନା ବନମାଳୀପୁର ଘନା ଜଙ୍ଗଲରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ପୁଣି ଥରେ ଏପରି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


