Categories: ଗଜପତି

ଗଜପତି ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତ

ଆର.ଉଦୟଗିରି,୧୩।୨(ଡି.ଏନ.ଏ.) ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ରାଇପଙ୍କା ଗ୍ରାମର ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକଙ୍କ ୧ କୋଟି ୧୭ ଲକ୍ଷ ୫୭ହଜାର ୬୯୪ ଟଙ୍କାର ସମ୍ପତ୍ତିକୁ ଶନିବାର ପୋଲିସ ବାଜ୍ୟାପ୍ତ କରିଛି। ରାଇପଙ୍କା ଗ୍ରାମ ସ୍ଥିତ ସରକାରୀ ଜମିରେ ଥିବା ବାସଗୃହ ସମେତ ବ୍ରହ୍ମପୁର ମହାନଗର ନିଗମ ଆଙ୍କୁଲି ସ୍ଥିତ ଲକ୍ଷ୍ମୀ ନଗରରେ ଘରକୁ ମିଶାଇ ଦୁଇଟି ଘର ସହ ଗୋଟିଏ ଦାମୀ କାର୍‌ ଓ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ସିଜ୍‌ କରିଛି। ଏ ନେଇ ଏକ ଖବରଦାତା ସମ୍ମିଳନୀରେ ଗଜପତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାମଦେବ ସିଂ ସୂଚନା ଦେଇଛନ୍ତି। ବହୁ ଚର୍ଚ୍ଚିତ ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକଙ୍କ ନଁାରେ ଅଡବା ଥାନାରେ ୧୦, ରାୟଗଡ଼ା ଜିଲାର ବିଭିନ୍ନ ଥାନାରେ ତିନୋଟି ଓ ନୂଆଦିଲ୍ଲୀରେ ମୋଟ ୧୪ଟି ମାମଲା ରହିଥିଲା। ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଯୋଗାଇବା ସହ ଗଞ୍ଜେଇ ଚୋରା କାରବାରରେ କିଙ୍ଗପିନ ସାଜିଥିଲେ। ମହୀଶୂରରୁ ଗଜପତି ପୋଲିସ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ଅଭିଯୁକ୍ତ ବିଚାରାଧୀନ କଏଦୀ ଭାବେ ଭଞ୍ଜନଗର ଉପକାରାଗାରରେ ରହିଥିବା ବେଳେ ଏକାଧିକ ମାମଲାର ଖୋଳତାଡ କରୁଥିଲା ପୋଲିସ। ତେବେ ବର୍ତ୍ତମାନ ଏନ୍‌ଡିପିଏସ୍‌ ଓ ସେଫମା ୧୯୭୬ ଆକ୍ଟ ଅନୁସାରେ କମ୍ପିଟାଣ୍ଟ ଅଥରିଟି ଆଣ୍ଡ ଆଡମିନିଷ୍ଟ୍ରେଶନ କୋଲକାତା ତରଫରୁ ଆୟ ବହିର୍ଭୂତ ସମ୍ପତ୍ତିକୁ ଜବତ କରି ବାଜ୍ୟାପ୍ତି କରାଯାଇଛି।