ଗଡ଼ସନ୍ତ୍ରୀ, ତୁଳସୀପାଳ ଉତ୍ସବମୁଖର

ବଅଁରପାଳ,୭।୧୧(ଡି.ଏନ.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ତୁଳସୀପାଳ ଓ ଗଡସନ୍ତ୍ରୀ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଲୋଭୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ସୋମବାରଠାରୁ ଆରମ୍ଭ ହୋଇଛି। ଏହି ଯାତ୍ରା ପାଇଁ ଉଭୟ ଗ୍ରାମ ବେଶ ଉତ୍ସବ ମୁଖର ହୋଇପଡ଼ିଛି। ପ୍ରତ୍ୟେକ ଘରେ ଘରେ ବନ୍ଧୁ ବାନ୍ଧବଙ୍କ ଭିଡ଼ ଜମିଛି। ପୂର୍ବାହ୍ନ ୧୨ଟାରେ ତୁଳସୀପାଳସ୍ଥିତ ଆଲମ ଘରୁ ମା’ଙ୍କ ଶୋଭାଯାତ୍ରା ବାହାରିଥିଲା। ଛତି ତରାସ, ପାଇକ ଖେଳ, ଲଉଡି ଖେଳ, ଆଦିବାସୀ ନୃତ୍ୟ, ଘଣ୍ଟବାଦ୍ୟରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ରାସ୍ତାରେ ଭକ୍ତମାନେ ଅଧିଆ ପଡ଼ିବା ସହ ନୂତନ ବସ୍ତ୍ର ପକାଇଥିଲେ। ଅପରାହ୍ନରେ ଦେବୀଙ୍କ ମାଜଣା ପର୍ବ ଅନୁଷ୍ଠିତ ହୋଇଥିଲା। ଯାତ୍ରାରେ ମୀନାବଜାର ସମେତ ୨ଶହରୁ ଊର୍ଦ୍ଧ୍ୱ ଦୋକାନ ବଜାର ପଡିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ଜଣେ ଡିଏସ୍‌ପି, ୨ ଜଣ ଇନ୍ସପେକ୍ଟର, ୫ ଜଣ ସବ୍‌ ଇନ୍ସପେକ୍ଟର, ୧୨ ଜଣ ଏଏସ୍‌ଆଇଙ୍କ ସମେତ ୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଏହି ଯାତ୍ରା ୫ ଦିନ ଧରି ଚାଲିବ। ମନ୍ଦିର କମିଟି ସଭାପତି ସୁନୀଲ ମାଝି, ସମ୍ପାଦକ ଭଜମନ ମହାନ୍ତି, ଲୋକନାଥ ମାଝି, ପ୍ରଶାନ୍ତ ମାଝି, ରାମ ସାମଲ, ଭିକାରି ସେଠି, ସନ୍ତୋଷ ସାହୁ, ଅନ୍ତର୍ଯ୍ୟାମୀ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।