ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଶନିବାର ସ୍ପଷ୍ଟ ଭାବେ ଖଣ୍ଡନ କରିଛି। ଏହି ଅଭିଯୋଗଗୁଡ଼ିକୁ ‘ଭ୍ରାମକ ଓ ବିଜ୍ଞାନବିହୀନ’ ବୋଲି କହିବା ସହ ଜନସାଧାରଣଙ୍କୁ ଆତଙ୍କିତ ନହେବାକୁ ସଂସ୍ଥା ପକ୍ଷରୁ ପରାମର୍ଶ ଦିଆଯାଇଛି।
ନିକଟରେ ‘ଏଗୋଜ୍’ (Eggoz) ନାମକ ଏକ ଲୋକପ୍ରିୟ ବ୍ରାଣ୍ଡର ଅଣ୍ଡାରେ ‘ନାଇଟ୍ରୋଫୁରାନ୍’ (Nitrofurans) ନାମକ ନିଷିଦ୍ଧ ଆଣ୍ଟିବାୟୋଟିକର ଅଂଶ ମିଳିଥିବା ନେଇ ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ଉପାଦାନ ଯୋଗୁଁ କ୍ୟାନ୍ସର ହେବାର ଆଶଙ୍କା ଥିବା ଦର୍ଶାଯାଇଥିଲା। ତେବେ FSSAI ସ୍ପଷ୍ଟ କରିଛି ଯେ, କୌଣସି ଜାତୀୟ ବା ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଂସ୍ଥା ଅଣ୍ଡା ସେବନ ଓ କ୍ୟାନ୍ସର ମଧ୍ୟରେ କୌଣସି ସମ୍ପର୍କ ଥିବା ପ୍ରମାଣ ପାଇନାହାଁନ୍ତି।
ଖାଦ୍ୟ ସୁରକ୍ଷା ନିୟମାବଳୀ-୨୦୧୧ ଅନୁଯାୟୀ, କୁକୁଡ଼ା ଚାଷ ବା ସେମାନଙ୍କ ଖାଦ୍ୟରେ ନାଇଟ୍ରୋଫୁରାନ୍ ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ। ଅଣ୍ଡାରେ ନାଇଟ୍ରୋଫୁରାନ୍ ମେଟାବୋଲାଇଟ୍ସର ସୀମା 1.0 μg/kg ରଖାଯାଇଛି। ଏହା କୌଣସି ବିପଦର ସଙ୍କେତ ନୁହେଁ, ବରଂ ଉନ୍ନତ ଲାବୋରେଟୋରୀ ଉପକରଣ ଦ୍ୱାରା ଚିହ୍ନଟ କରାଯାଇପାରୁଥିବା ସର୍ବନିମ୍ନ ସ୍ତର। ଏହି ନିର୍ଦ୍ଧାରିତ ସୀମା ତଳେ ଅବଶେଷ ମିଳିବା ଦ୍ୱାରା ଖାଦ୍ୟ ଅସୁରକ୍ଷିତ ହୋଇଯାଏ ନାହିଁ। ଆମେରିକା ଓ ୟୁରୋପୀୟ ସଂଘ ମଧ୍ୟ ସମାନ ମାନକ ଅନୁସରଣ କରନ୍ତି।
କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟାଚ୍ରେ ସାମାନ୍ୟ ଅଂଶ ମିଳିବାକୁ ନେଇ ସାରା ଦେଶର ଅଣ୍ଡା ଯୋଗାଣକୁ ଅସୁରକ୍ଷିତ କହିବା ବୈଜ୍ଞାନିକ ଦୃଷ୍ଟିକୋଣରୁ ଭୁଲ। ତଥାପି, ଗ୍ରାହକଙ୍କ ସ୍ୱାର୍ଥ ଓ ସ୍ୱଚ୍ଛତା ପାଇଁ FSSAI ସାରା ଦେଶରୁ ବ୍ରାଣ୍ଡେଡ୍ ଏବଂ ଅଣ-ବ୍ରାଣ୍ଡେଡ୍ ଅଣ୍ଡାର ନମୁନା ସଂଗ୍ରହ କରି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି। ଅଣ୍ଡା ଏକ ପୁଷ୍ଟିକର ଖାଦ୍ୟ। ଗୁଜବରେ ବିଶ୍ୱାସ ନକରି ବୈଜ୍ଞାନିକ ତଥ୍ୟ ଉପରେ ଭରସା ରଖିବାକୁ FSSAI ଗ୍ରାହକମାନଙ୍କୁ ନିବେଦନ କରିଛି।


