ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା କମ୍ପାନୀ ‘ଏଭରେଷ୍ଟ ଫୁଡ୍ ପ୍ରଡକ୍ଟସ’ ଏବଂ ‘ଲାଲଜୀ ଗୋଧୁ’ ଦ୍ୱାରା ପ୍ରସ୍ତୁତ କମ୍ପାଉଣ୍ଡେଡ୍ ହିଙ୍ଗୁ (Compounded Asafoetida) ର ବିକ୍ରି ଉପରେ FSSAI ସାମୟିକ ଭାବେ ରୋକ୍ ଲଗାଇଛି। ଲ୍ୟାବ୍ ଟେଷ୍ଟରୁ ଏହି ଉତ୍ପାଦଗୁଡ଼ିକ ନିମ୍ନମାନର (Substandard) ଥିବା ପ୍ରମାଣିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ନିୟମ ଉଲ୍ଲଂଘନ ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ସହ କିଭଳି ନିର୍ଦ୍ଧାରିତ ମାନଦଣ୍ଡ ପାଳନ କରାଯିବ, ସେ ନେଇ ଉତ୍ତର ରଖିବାକୁ କମ୍ପାନୀଗୁଡ଼ିକୁ କୁହାଯାଇଛି। ଏହାସହ ବଜାରରେ ଥିବା ନିମ୍ନମାନର ଉତ୍ପାଦଗୁଡ଼ିକୁ ସ୍ୱେଚ୍ଛାକୃତ ଭାବେ ଫେରାଇ ନେବାକୁ (Recall) ପରାମର୍ଶ ଦିଆଯାଇଛି। କମ୍ପାନୀଗୁଡ଼ିକ ସମ୍ପୂର୍ଣ୍ଣ ସୁରକ୍ଷା ନିୟମ ପାଳନ ନକରିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

ଜଣେ ଗ୍ରାହକଙ୍କ ଅଭିଯୋଗ ପରେ FSSAI ହିଙ୍ଗୁ ପ୍ରସ୍ତୁତ କରୁଥିବା ବଡ଼ ବ୍ରାଣ୍ଡଗୁଡ଼ିକ ଉପରେ ନଜର ରଖିଥିଲା। ମୁମ୍ବାଇରେ ଥିବା ପ୍ରସେସିଂ ୟୁନିଟ୍ ଏବଂ ଗୁଜରାଟର ଉମ୍ବରଗାଓଁସ୍ଥିତ ଏଭରେଷ୍ଟର ଉତ୍ପାଦନ କେନ୍ଦ୍ରରୁ ସଂଗୃହିତ ନମୁନା ଫେଲ୍ ମାରିଥିଲା। ଏହାବ୍ୟତୀତ, ଏଭରେଷ୍ଟର ଏଗ୍ କରି ମସଲା, ଚିକେନ୍ ମସଲା ଏବଂ ଗରମ ମସଲାରେ ମଧ୍ୟ ନିୟମ ଉଲ୍ଲଂଘନ ହୋଇଥିବା FSSAI ନଜରକୁ ଆସିଛି, କିନ୍ତୁ ଏହି ତିନୋଟି ଉତ୍ପାଦ ଉପରେ କୌଣସି ବ୍ୟାନ୍ ଲଗାଯାଇ ନାହିଁ।

ମାନଦଣ୍ଡ ଅନୁଯାୟୀ, କମ୍ପାଉଣ୍ଡେଡ୍ ହିଙ୍ଗୁରେ ଅତି କମରେ ୫ ପ୍ରତିଶତ ଆଲକୋହଲ-ସୋଲୁବଲ୍ ଏକ୍ସଟ୍ରାକ୍ଟ (ଅର୍କ) ରହିବା ଆବଶ୍ୟକ। ମାତ୍ର ଲ୍ୟାବ୍ ପରୀକ୍ଷାରୁ ଏଥିରେ କେବଳ ୦ ରୁ ୩ ପ୍ରତିଶତ ଅର୍କ ମିଳିଥିଲା, ଯାହା ଦର୍ଶାଉଛି ଯେ ନିର୍ମାତାମାନେ ପ୍ରକୃତ ଆବଶ୍ୟକତା ଠାରୁ ୩୦ ରୁ ୪୦ ପ୍ରତିଶତ କମ୍ କଞ୍ଚା ହିଙ୍ଗୁ ବ୍ୟବହାର କରୁଥିଲେ।

ଅନ୍ୟପଟେ, ଲାଲଜୀ ଗୋଧୁ ୟୁନିଟରୁ ଜବତ କଞ୍ଚା ହିଙ୍ଗୁର ୬ଟି ନମୁନାରେ ୧୫ ରୁ ୩୨ ପ୍ରତିଶତ ପର୍ଯ୍ୟନ୍ତ ଷ୍ଟାଚ୍ (ମାଣ୍ଡିଆ/ଫେଣା) ମିଳିଥିଲା, ଯାହାକି ସର୍ବାଧିକ ଅନୁମୋଦିତ ସୀମା (୧ ପ୍ରତିଶତ) ଠାରୁ ଯଥେଷ୍ଟ ଅଧିକ।

ଏହି ଘଟଣା ଏପରି ସମୟରେ ସାମ୍ନାକୁ ଆସିଛି ଯେତେବେଳେ FSSAI ସୁପ୍ରିମକୋର୍ଟଙ୍କୁ ଜଣାଇଛି ଯେ, ଅତ୍ୟଧିକ ଶର୍କରା (ସୁଗାର), ଲୁଣ କିମ୍ବା ସାଚୁରେଟେଡ୍ ଫ୍ୟାଟ୍ ଥିବା ପ୍ୟାକେଟ୍ ଖାଦ୍ୟ ସାମଗ୍ରୀ ପାଇଁ ପ୍ୟାକେଟର ସାମ୍ନା ପାଖରେ ଏକ ଲାଲ୍ ରଙ୍ଗର, ୬-କୋଣ ବିଶିଷ୍ଟ (Hexagonal) ୱାର୍ଣ୍ଣିଂ ଲେବୁଲ୍ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି।

ଜଷ୍ଟିସ୍ ଜେ.ବି. ପାର୍ଦିୱାଲାଙ୍କ ନେତୃତ୍ୱାଧୀନ ସୁପ୍ରିମ୍ କୋର୍ଟ ବେଞ୍ଚ୍, ଫ୍ରଣ୍ଟ-ଅଫ୍-ପ୍ୟାକ୍ ୱାର୍ଣ୍ଣିଂ ଲେବୁଲ୍ ନିୟମ ଲାଗୁ କରିବାରେ ବିଳମ୍ବ ପାଇଁ FSSAI ଏବଂ କେନ୍ଦ୍ର ସରକାରଙ୍କୁ କଡ଼ା ଭର୍ତ୍ସନା କରିବା ପରେ ଏହି ପ୍ରସ୍ତାବ ଆଗତ କରାଯାଇଛି। ଲେବୁଲିଂ ନିୟମରେ ଏହି ପ୍ରସ୍ତାବିତ ପରିବର୍ତ୍ତନ ପରେ ଏବେ ଗ୍ରାହକଙ୍କ ସୁରକ୍ଷା ଓ ଖାଦ୍ୟ କମ୍ପାନୀଗୁଡ଼ିକର ଉତ୍ତରଦାୟିତ୍ୱକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି।

Dharitri – Odisha’s No.1 Odia Daily

Share