ନୂଆଦିଲ୍ଲୀ,୨୮।୬: ପଶ୍ଚିମ ୟୁରୋପରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତାପମାତ୍ରା ରେକର୍ଡ ଭାଙ୍ଗୁଥିବା ବେଳେ ଲୋକେ ଆଉଟୁପାଉଟୁ ହେଉଥିବା ନେଇ ଖବର ସାମ୍ନାକୁ ଆସିଛି । ଏହାରି ଭିତରେ ରବିବାର ଦିନ ଫ୍ରାନ୍ସର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ଗତ କିଛି ଦିନ ଧରି ପଶ୍ଚିମ ୟୁରୋପର ଏକ ବଡ଼ ଅଂଶକୁ ଜଳାଉଛି ଖରା । ପ୍ରାୟ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଇଛି ।
“ଜୁନ୍ ୨୪ ପରଠାରୁ ଖରାର ପ୍ରକୋପ ଦେଖିବାକୁ ମିଳିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏଜେନ୍ସି ଉଲ୍ଲେଖ କରିଛି ଯେ ଗରମ ପାଇଁ ରେଡ୍ ଆଲର୍ଟ ଅନ୍ତର୍ଗତ ଅଞ୍ଚଳଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ଏବଂ ମୃତକଙ୍କ ମଧ୍ୟରୁ ୮୫ ପ୍ରତିଶତ ୬୫ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ଥିଲେ।
ଏଜେନ୍ସି ଅନୁଯାୟୀ, ଘରେ ମୃତ୍ୟୁ ସଂଖ୍ୟାରେ ସର୍ବାଧିକ ବୃଦ୍ଧି ପରିଲକ୍ଷିତ ହୋଇଛି, ବିଶେଷକରି ଇଲେ-ଡି-ଫ୍ରାନ୍ସ ଅଞ୍ଚଳରେ । ଯେଉଁଥିରେ ପ୍ୟାରିସ ଏବଂ ଏହାର ଆଖପାଖ ଅଞ୍ଚଳ ଅନ୍ତର୍ଭୁକ୍ତ।ବିବୃତ୍ତିରେ ଉଲ୍ଲେଖ କରାଯାଇଛି, “ଏକା କିମ୍ବା ଘନ ଜନବହୁଳ ସହରାଞ୍ଚଳରେ ରହୁଥିବା ଲୋକଙ୍କ ସମେତ ଅତ୍ୟନ୍ତ ଏକାକୀ ଥିବା ଲୋକଙ୍କ ସହିତ ଏକତା ଦେଖାଇବା ଏବଂ ସେମାନଙ୍କୁ ସହାୟତା ପ୍ରଦାନ କରିବାର ଆବଶ୍ୟକତାକୁ ମନେ ପକାଇ ଦେଉଛି।” କିଛି ଦିନ ଧରି ପ୍ରବଳ ଗରମ ଏବଂ ଅନେକ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିବା ପରେ, ରବିବାର ଫ୍ରାନ୍ସ ଗରମରୁ କିଛି ଆଶ୍ୱସ୍ତି ଅନୁଭବ କରିଛି । ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପାଣି ମଧ୍ୟ ସ୍ପ୍ରେ କରାଯାଉଛି ।