ଦୁର୍ଗନ୍ଧଯୁକ୍ତ ଫୁଲ

ଫୁଲ ଈଶ୍ୱରଙ୍କ ଅନୁପମ ସୃଷ୍ଟି, ଯାହାର ଭଳିକି ଭଳି ରଙ୍ଗିନ ରୂପ ଏବଂ ମନମୋହକ ସୁଗନ୍ଧ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ହେଲେ ଆପଣ ଜାଣିନ୍ତି କି ଏମିତି ବି କିଛି ଫୁଲ ରହିଛି, ଯାହାର ଗନ୍ଧ ଲାଗି ଏହାକୁ ତୋଳିବା କିମ୍ବା କୌଣସି କାର୍ଯ୍ୟରେ ଲଗାଇବା ତ ଦୂରର କଥା କେହି ଏହା ପାଖକୁ ଯିବାକୁ ବି ପସନ୍ଦ କରନ୍ତି ନାହିଁ। ଜାଣିବା ଏଭଳି କିଛି ଦୁର୍ଗନ୍ଧଯୁକ୍ତ ଫୁଲ ସମ୍ପର୍କରେ…

ଟାଇଟନ୍‌ ଅରମ୍‌: ଏହା ପୃଥିବୀର ସବୁଠୁ ଦୁର୍ଗନ୍ଧଯୁକ୍ତ ଫୁଲ। ଏହି ଫୁଲ ଖୁବ୍‌ କମ୍‌ ଦିନ ଅର୍ଥାତ୍‌ ମାତ୍ର ୨ରୁ ୩ ଦିନ ପର୍ଯ୍ୟନ୍ତ ଫୁଟିଥାଏ ଏବଂ ପୁନର୍ବାର ଦେଖିବାକୁ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଲାଗିଥାଏ। ଏହା ପୃଥିବୀର ସବୁଠୁ ବଡ଼ ଶାଖା ବିହୀନ ଫୁଲ ଗଛ। ଏହି ଫୁଲର ଉଚ୍ଚତା ପ୍ରାୟ ୩ ଫୁଟ ପର୍ଯ୍ୟନ୍ତ ହୋଇଥିବା ବେଳେ ଏହାର ରଙ୍ଗ ବାହାରୁ ଗାଢ ସବୁଜ ଏବଂ ଭିତର ପାର୍ଶ୍ୱ ଗାଢ ଲାଲ୍‌।
ରାଫ୍‌ଲେସିଆ: ଏହା ପୃଥିବୀର ସବୁଠୁ ବଡ଼ ଫୁଲ। ଯାହାର ଚେର କିମ୍ବା ଡାଳପତ୍ର ନ ଥିବା ବେଳେ ଏହା ଏକ ପରଜୀବୀ। ୫ଟି ପାଖୁଡ଼ା ବିଶିଷ୍ଟ ଏହି ଫୁଲର ବ୍ୟାସ ପ୍ରାୟ ଏକ ମିଟର ହୋଇଥିବା ବେଳେ ଏହାର ଓଜନ ୧୧ କେ.ଜି. ପର୍ଯ୍ୟନ୍ତ ହୋଇଥାଏ। ଏହି ଫୁଲ ରଙ୍ଗ ଲାଲ୍‌ ରଙ୍ଗର ଏବଂ ଏହା ଉପରେ ଧଳା ରଙ୍ଗର ଛିଟା ରହିଛି।
ଡ୍ରାଗନ ଅରମ୍‌: ଏହି ଫୁଲ ସାଧାରଣତଃ ପାହାଡ଼ିଆ ଏବଂ ପଥୁରିଆ ସ୍ଥାନରେ ବସନ୍ତ ଋତୁର ଶେଷ ଆଡ଼କୁ ଫୁଟୁଥିବାର ଦେଖିବାକୁ ମିଳିଥାଏ। ଏକ ମିଟର ଉଚ୍ଚତା ବିଶିଷ୍ଟ ଗଛରେ ପ୍ରାୟ ୮୦ ସେମି. ଲମ୍ବାର ମେରୁନ୍‌-ପର୍ପଲ ବା ଖଇରିଆ-ବାଇଗଣି ରଙ୍ଗର ଏହି ଫୁଲ ଫୁଟିଥାଏ। ଡ୍ରାଗନ୍‌ ଅରମ୍‌ ବ୍ୟତୀତ ଏହି ଫୁଲକୁ ବ୍ଲାକ୍‌ ଅରମ୍‌, ସ୍ନେକ୍‌ ଲିଲି, ଡ୍ରାଗନ୍‌ଓର୍ଟ, ଷ୍ଟିଙ୍କ୍‌ ଲିଲି, ଭୋଣ୍ଡୁ ଲିଲି ଆଦି ମଧ୍ୟ କୁହାଯାଇଥାଏ। ଏହି ଫୁଲ ଦେଖିବାକୁ ସୁନ୍ଦର ହୋଇଥିଲେ ହେଁ ଏଥିରୁ ବାହାରୁ ଥିବା ପଚା ମାଂସ ଭଳି ଗନ୍ଧ ଲାଗି ଏହା ପାଖକୁ କେହି ଯିବାକୁ ପସନ୍ଦ କରନ୍ତି ନାହିଁ।
ବଲ୍‌ବୋଫାଇଲମ୍‌ ଫାଲିନୋପ୍ସିସ୍‌ : ଏହା ନ୍ୟୁ ଗିନି ଆଇସ୍‌ଲାଣ୍ଡରେ ଦେଖା ଦେଉଥିବା ପୃଥିବୀର ସବୁଠାରୁ ବଡ଼ ଏବଂ ଦୁର୍ଗନ୍ଧଯୁକ୍ତ ଅର୍କିଡ଼୍‌। ଗୋଲାପି-ଲାଲ୍‌ ରଙ୍ଗର ଏହି ଫୁଲର ଗନ୍ଧ ପଚି ଯାଇଥିବା ମାଂସ ଭଳି। ଏହା ବର୍ଷର ଯେକୌଣସି ସମୟରେ ଫୁଟିଥାଏ। ତେବେ ଏହି ଫୁଲ ଗଛର ପତ୍ରଗୁଡ଼ିକ ୪ଫୁଟ୍‌ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ।