ଓ୍ବାଶିଂଟନ,୧୦ା୮: ଆସନ୍ତା ୧୨ ତାରିଖରେ ୨୪ ଘଣ୍ଟା ମଧ୍ୟରେ ମହାକାଶରେ ୪ଟି ଅଲଗା ବିରଳ ମହାକାଶୀୟ ଦୃଶ୍ୟ ଦେଖିବାକୁ ମିଳିବ। ଯଦିଓ ଏହିସବୁ ଘଟଣା ନିଜସ୍ବ କ୍ୟାଲେଣ୍ଡର ଅନୁଯାୟୀ ସ୍ବାଭାବିକ ଭାବେ ଘଟିଥାଏ, ତେବେ ଗୋଟିଏ ଦିନରେ ସମସ୍ତ ୪ଟି ଘଟଣା ଘଟୁଥିବାରୁ ଏହା ବାସ୍ତବରେ ଉଲ୍ଲେଖନୀୟ ସଂଯୋଗ।
୧୨ ତାରିଖ ସକାଳେ ସୂର୍ଯ୍ୟୋଦୟ ପୂର୍ବରୁ ୬ଟି ଗ୍ରହଙ୍କୁ ଗୋଟିଏ ଧାଡ଼ିରେ ଅବସ୍ଥାନ କରୁଥିବା ଦେଖିବାକୁ ମିଳିବ। ସେହି ଗ୍ରହଗୁଡ଼ିକ ହେଲେ ବୃହଷ୍ପତି, ବୁଧ, ମଙ୍ଗଳ, ଶନି, ୟୁରାନସ୍ ଓ ନେପ୍ଚୁନ। ସେମାନେ ଆକାଶରେ ପୂର୍ବରୁ ପଶ୍ଚିମକୁ ଗୋଟିଏ ରେଖାରେ ଥିବା ଦେଖାଯିବେ ବୋଲି ୟୁଏସ୍ଏ ଟୁଡେ ପ୍ରକାଶ କରିଛି। ମଙ୍ଗଳ ଏବଂ ଶନି ଖାଲି ଆଖିରେ ସହଜରେ ଦେଖିହେବେ। ଅନ୍ୟ ଗ୍ରହମାନଙ୍କୁ ଦେଖିବା ପାଇଁ ବାଇନୋକୁଲାର ବା ଦୂରବୀକ୍ଷଣ ଯନ୍ତ୍ର ଆବଶ୍ୟକ ହେବ।
ଏଥିସହିତ ସେହିଦିନ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିବ। ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦୃଶ୍ୟ ଗ୍ରୀନ୍ଲାଣ୍ଡ, ଆଇସ୍ଲାଣ୍ଡ, ସ୍ପେନ୍ରେ ଦେଖାଯିବ, ଯେଉଁଠି ଦିନ କିଛି ସମୟ ପାଇଁ ରାତି ହୋଇଯିବ। ଏହା ବ୍ୟତୀତ ୟୁରୋପ, ଆଫ୍ରିକା ଓ ଉତ୍ତର ଆମେରିକାରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଦେବ। ତେବେ ଭାରତକୁ ଏହା ଦୃଶ୍ୟ ହେବ ନାହିଁ। ସେହିପରି ସେଦିନ ଅମାବାସ୍ୟା ହୋଇଥିବାରୁ ପୃଥିବୀ ଆଡ଼କୁ ଥିବା ଚନ୍ଦ୍ର ପାର୍ଶ୍ୱକୁ ଆଦୌ ସୂର୍ଯ୍ୟାଲୋକ ପଡ଼ି ନ ଥାଏ। ଫଳରେ ରାତିର ଆକାଶ ଅତ୍ୟନ୍ତ ଅନ୍ଧକାରମୟ ହୋଇଥାଏ। ଏହା ବ୍ୟତୀତ ସେଦିନର ଚତୁର୍ଥ ଘଟଣା ହେଉଛି ଘନ ଅନ୍ଧାର ରାତି ଆକାଶରେ ବର୍ଷର ସର୍ବାଧିକ ପର୍ସେଇଡ୍ ଉଲ୍କାପାତର ଦୃଶ୍ୟ ଦେଖିହେବ। ଚନ୍ଦ୍ରାଲୋକର ବାଧା ନ ଥିବାରୁ ଆକାଶକୁ ନିରୀକ୍ଷଣ କରୁଥିବା ଲୋକମାନେ ରାତି ଆକାଶରେ ଘଣ୍ଟାପ୍ରତି ୧୦୦ ପର୍ଯ୍ୟନ୍ତ ଉଲ୍କା ଖସୁଥିବା ଦେଖିପାରିବେ।