ଭ୍ୟାନ୍‌ ଧକ୍କାରେ ପରିବାରର ୪ ମୃତ

ଆସିକା,୬।୪(ଡି.ଏନ.ଏ.): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଧନପୁର ଗ୍ରାମ ନିକଟରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିିଛି। ଏକ ମୋପେଡ୍‌କୁ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାଦେବାରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡି ଗ୍ରାମର ଜୟରାମ ନାୟକ (୫୪), ତାଙ୍କ ବିବାହିତା ଝିଅ ଲକ୍ଷ୍ମୀ ପାତ୍ର (୨୯), ଅନ୍ୟ ଜଣେ ଝିଅ ରିଙ୍କି ନାୟକ (୨୬) ଓ ନାତି ତଥା ଲକ୍ଷ୍ମୀଙ୍କ ୬ ବର୍ଷୀୟ ପୁଅ ବିଶ୍ୱଜିତ ପାତ୍ର। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଅଞ୍ଚଳବାସୀ ଆସିକା-ଭଞ୍ଜନଗର ରାସ୍ତା ଅବରୋଧ କରିଥିଲେ। କ୍ଷତିପୂରଣ ଲାଗି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଅପରାହ୍ନ ପ୍ରାୟ ୫ଟାରେ ରାସ୍ତା ଅବରୋଧ ହଟିଛି। ପ୍ରକାଶ ଯେ, ମୁନିଗାଡ଼ି ଗ୍ରାମର ଜୟରାମ ପରିବା ବିକି ପରିବାର ଚଳାନ୍ତି। ତାଙ୍କର ୫ ଝିଅଙ୍କ ମଧ୍ୟରୁ ୩ ଜଣ ବିବାହିତା। ବାଲିପଦର ନିକଟ ମହୁଲପଲ୍ଲୀରେ ବିବାହ କରିଥିବା ଲକ୍ଷ୍ମୀ ୩ ଦିନ ହେଲା ପୁଅ ବିଶ୍ୱଜିତ ଓ ୬ ମାସର ଝିଅକୁ ଧରି ବାପଘରକୁ ଆସିଥିଲେ। ଦିନେ,ଦୁଇ ଦିନ ପରେ ସେ ଶାଶୁଘରକୁ ଫେରିଯିବାକୁ ଥିବାରୁ ଲୁଗାପଟା କିଣିବା ପାଇଁ ଜୟରାମ ଗାଙ୍ଗପୁର ଆସିଥିଲେ। ବଜାରରୁ କାମ ସାରି ସେ ଏକ ମୋପେଡ୍‌ରେ ୨ ଝିଅ ଲକ୍ଷ୍ମୀ ଓ ରିଙ୍କି ଏବଂ ନାତିକୁ ଧରି ଫେରୁଥିଲେ। ଇନ୍ଧନପୁର ଗ୍ରାମ ନିକଟରେ ଆସିକାରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌ (ଓଡି ୧୫ ପି ୨୩୦୭) ଉକ୍ତ ମୋପେଡକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାପା ଓ ୨ ଝିଅଙ୍କ
ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ବିଶ୍ୱଜିତଙ୍କୁ ପ୍ରଥମେ ଆସିକା ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦିଆଯାଇଥିଲା। ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ
ଉତ୍ତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ। ସେମାନେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଥିଲେ। ଖବରପାଇ ବେଲଗୁଣ୍ଠା ତହସିଲଦାର ଧରଣୀଧର ଦାସ, ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଜିଲା ରେଡ୍‌କ୍ରସ୍‌ ପାଣ୍ଠିରୁ ୪୦ ହଜାର ଟଙ୍କା ସହାୟତା ପ୍ରଦାନ ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଲାଗି ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା। ପୋଲିସ ଦୁର୍ଘଟଣା ଘଟାଇଥିବା ଭ୍ୟାନକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଛି। ଏ ନେଇ ଗାଙ୍ଗପୁର ଥାନାରେ ନଂ.୧୩୩/୨୨ରେ ଏକ ମାମଲା ରୁଜୁ କରାଯାଇଛି।