ଦାରିଙ୍ଗବାଡି, ୨୦।୯ (ଅରୁଣ ସାହୁ): ଆଉ ଦାଦନ ଖଟିବୁନି କାହାରି ଗୋଲାମ ସାଜିବୁନି। ନିଜ ଜମିରେ ନିଜେ ଖଟିବୁ ଆଉ ଚାଷ କାର୍ଯ୍ୟ କରି ଭଲରେ ଚଳିବୁ। ଏଭଳି ନିଷ୍ପତି ନେଇଛନ୍ତି ୪ ଭାଇ ଆଉ ନିଜର ପୈତୃକ ୫ ଏକର ଜମିରେ ଚାଷ କାର୍ଯ୍ୟ ଆରମ୍ଭ କରି ମାତ୍ର ୩ ମାସ ପରିଶ୍ରମ କରି ଏବେ ଅମଳ ଆରମ୍ଭରୁ ଚଳିତ ମାସରେ ପ୍ରାୟ ୧୫ ହଜାର ରୋଜଗାର କରିସାରିଲେଣି। ଆଉ ୨ ମାସ ମଧ୍ୟରେ ସେମାନଙ୍କ ରୋଜଗାର ଲକ୍ଷାଧିକ ଟଙ୍କାରେ ପହଞ୍ଚିବ ବୋଲି କହିଛନ୍ତି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତର ମାଗଲ ନାୟକ। ସେ ଓ ତାଙ୍କ ୩ ଭାଇ ମିଶି ଏବେ ବିଭିନ୍ନ ପ୍ରକାର ପନିପରିବା ଚାଷ ଆରମ୍ଭ କରିଛନ୍ତି। ସେମାନଙ୍କ ପନିପରିବା ଚାଷ ମଧ୍ୟରେ ରହିଛି ଭେଣ୍ଡି, ବିନ, କାକୁଡି, ଅଲଡୀ, ଟମାଟୋ, ବାଇଗଣ, କଞ୍ଚା ଲଙ୍କା, ଆଳୁ, ମିଠା ମକା, ବନ୍ଧା କୋବି, ବିଭିନ୍ନ ପ୍ରକାର ଶାଗ ରହିଛି। ଏଥି ସହ ମାଛ ଚାଷ ମଧ୍ୟ ରହିଛି। ଫଳରେ ଏବେ ଚାଷ ତାଙ୍କୁ ସଫଳତା ଆଡକୁ ନେଇଥିବାରୁ ମାଗଲଙ୍କ ପରିବାରରେ ହସ ଫୁଟିଥିବା କହିଛନ୍ତି। ମାଗଲଙ୍କ ସହ ତାଙ୍କ ସାନ ଭାଇ ଅଶ୍ୱିନ ଲକ୍ସମନ ଏବଂ ପବିର ଏବେ ଚାଷ କାର୍ଯ୍ୟକୁ ଗୁରୁତ୍ୱ ଦେଇଛନ୍ତି।

