Categories: ବାଣିଜ୍ୟ

ଝାରସୁଗୁଡ଼ାଠାରେ ବେଦାନ୍ତ ଆଲୁମିନିୟମ ପାର୍କ ଭିତ୍ତିପ୍ରସ୍ତର

ଭୁବନେଶ୍ୱର,୨।୧୨:ମେକ୍‌ ଇନ୍‌ ଓଡ଼ିଶାର ପ୍ରଥମ ଦିନର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ବେଦାନ୍ତ ଲିମିଟେଡ୍‌ର ଝାରସୁଗୁଡ଼ା ୟୁନିଟ୍‌ଠାରେ ‘ବେଦାନ୍ତ ଆଲୁମିନିୟମ ପାର୍କ’ର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଘୋଷଣା କରାଯାଇଛି। ବିଶେଷକରି ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୨ରେ ବେଦାନ୍ତର ଚେୟାରମ୍ୟାନ ଅନିଲ ଅଗ୍ରୱାଲଙ୍କ ଉପସ୍ଥିତିରେ ଉକ୍ତ ପାର୍କକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥଲେ। ଏଠାରେ ବେଦାନ୍ତ ଆଲୁମିନିୟମ ଓ ଶିଳ୍ପ ଭିତ୍ତିଭୂମି ଓଡ଼ିଶା (ଇଡ୍‌କୋ) ମଧ୍ୟରେ ଏକ ମିଳିତ ଉଦ୍ୟମ କରାଯାଇଥିବା ଜଣାପଡ଼ିଛି। ଏହି ଅବସରରେ ବେଦାନ୍ତ ଆଲୁମିନିୟମର ସିଇଓ ରାହୁଲ ଶର୍ମା ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।
ସେହିଭଳି ବେଦାନ୍ତ ଆଲୁମିନିୟମ ପାର୍କ ଏକ ବିଶ୍ୱସ୍ତରୀୟ ଔଦ୍ୟୋଗିକ ସୁବିଧା ପ୍ରଦାନ କରିବ ଯେଉଁଠାରେ କମ୍ପାନୀମାନେ ସେମାନଙ୍କ ଉପତ୍ାଦନ ୟୁନିଟ୍‌ ପ୍ରତିଷ୍ଠା କରିପାରିବେ ଓ ଝାରସୁଗୁଡ଼ାର ସ୍ମେଲଟରରୁ ସେମାନଙ୍କ ଉପତ୍ାଦ ପାଇଁ ତରଳ ଆଲୁମିନିୟମ ପାଇପାରିବେ। ଝାରସୁଗୁଡ଼ାର ବେଦାନ୍ତ ଆଲୁମିନିୟମ ସ୍ମେଲଟର ହେଉଛି ବିଶ୍ୱର ସର୍ବବୃହ୍‌ତ ସ୍ମେଲଟର ପ୍ଲାଣ୍ଟ ଯାହାର ବାର୍ଷିକ କ୍ଷମତା ୧.୭୫ ଟନ ରହିଛି। ୨୫୩ ଏକରରୁ ଅଧିକ ପରିସରରେ ବ୍ୟାପିଥିବା ଏହି ଆଲୁମିନିୟମ ପାର୍କ ଭାରତର ବୃହତମ ଧାତୁ ପାର୍କ ମଧ୍ୟରୁ ଅନ୍ୟତମ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକ କହିଛନ୍ତି, ଦେଶର ଏକ ପ୍ରମୁ୍‌ଖ ବିନଯୋଗ ଲକ୍ଷ୍ୟସ୍ଥଳ ଭାବରେ ଓଡ଼ିଶା ଦ୍ରୁତଗତିରେ ଉଭା ହୋଇଛି। ସବୁ କ୍ଷେତ୍ରରେ ପରିବର୍ତ୍ତନ ଓ ଅନ୍ତର୍ଭୁକ୍ତ ବିକାଶ ଉପରେ ସ୍ପଷ୍ଟ ଧ୍ୟାନଦେଇ ଆମେ ଏକ ପ୍ରଗତିଶୀଳ ରାଜ୍ୟ । ଓଡ଼ିଶାରେ ଆମେ ଆପଣଙ୍କୁ ସର୍ବଦା ଉତ୍ତମ ସେବା, ସମର୍ଥନ ପ୍ରଦାନ କରିଆସୁଛୁ। ସେହିଭଳି ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଅନିଲ ଅଗ୍ରଓ୍ବାଲ କହିଛନ୍ତି ,ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଭାରତରେ ପରବର୍ତ୍ତୀ ପୁଞ୍ଜି ବିନିଯୋଗ ଲକ୍ଷ୍ୟ ପୂରଣ ହୋଇପାରିବ। ଓଡ଼ିଶାର ପ୍ରାକୃତିକ ସୁବିଧା ପାଇଁ ଏହା ଭାରତର ଆଲୁମିନିୟମ ରାଜଧାନୀ ଓ ବିଶ୍ୱରେ ଆଲୁମିନିୟମ ରାଜଧାନୀ ହେବାର ସାମର୍ଥ୍ୟ ରହିଛି। ବର୍ଷ ବର୍ଷ ଧରି ବେଦାନ୍ତ ୧ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ କରି ରାଜ୍ୟରେ ୫ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ଜୀବିକା ସୃଷ୍ଟି କରିପାରିଛି। ସେହିପରି ବେଦାନ୍ତ ଆଲୁମିନିୟମର ସିଇଓ ରାହୁଲ ଶର୍ମା କହିଛନ୍ତି, ଆମର ଆଲୁମିନିୟମ୍‌ ସ୍ମେଲ୍‌ଟର ନିକଟରେ ଏକ ବିଶ୍ୱସ୍ତରୀୟ ଆଲୁମିନିୟମ୍‌ ପାର୍କ ସୃଷ୍ଟି କରିବା ପାଇଁ ବେଦାନ୍ତ ଓ ଓଡ଼ିଶା ସରକାର ମଧ୍ୟରେ ସୃଷ୍ଟି ହୋଇଥିବା ଏହି ସହଯୋଗ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ।

Share