ନୂଆଦିଲ୍ଲୀ,୨୩।୯: କ୍ରିକେଟ ଇତିହାସର ଅନ୍ୟତମ ଲୋକପ୍ରିୟ ଓ ଚମତ୍କାର ଅମ୍ପାୟାର ଇଂଲଣ୍ଡର ଡିକି ବର୍ଡଙ୍କର ୯୨ ବର୍ଷ ବୟସରେ ପରଲୋକ ଘଟିଛି। ଇଂଲଣ୍ଡର କାଉଣ୍ଟି କ୍ଲବ ୟର୍କଶାୟାର ଏକ ବୟାନ ଜାରି କରି ତାଙ୍କ ମୃତ୍ୟୁ ଖବର ପ୍ରକାଶ କରିଛି। ପ୍ରାୟ ୧୫୦ଟି ଆନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟାରିଂ କରିଥିବା ଡିକି ବର୍ଡ କ୍ରିକେଟ ଇତିହାସରେ ପ୍ରଥମ ଅମ୍ପାୟାର ଥିଲେ, ଯିଏ ଏହି ପେଶାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଏବଂ ଏହାକୁ ଲୋକପ୍ରିୟ କରିଥିଲେ। ବର୍ଡଙ୍କ ମୃତ୍ୟୁକୁ ନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ ମଧ୍ୟ ଶୋକ ପ୍ରକାଶ କରିଛି। ଅନ୍ତର୍ଜାତୀୟ ଅମ୍ପାୟାର ହେବା ପୂର୍ବରୁ ଡିକି ବର୍ଡ ଜଣେ ଫାର୍ଷ୍ଟ କ୍ଲାସ କ୍ରିକେଟର ଥିଲେ, କିନ୍ତୁ ୩୨ ବର୍ଷ ବୟସରେ ସେ ସନ୍ନ୍ୟାସ ନେଇ ଘୋଷଣା କରିଥିଲେ।
ମଙ୍ଗଳବାର, ୨୩ ସେପ୍ଟେମ୍ବର ୨୦୨୫ରେ ୯୨ ବର୍ଷ ବୟସରେ ବର୍ଡ ନିଜ ଘରେ ଶେଷ ନିଶ୍ଚାସ ତ୍ୟାଗ କରିଛନ୍ତି। ଯର୍କଶାୟାର ପାଇଁ ଫାର୍ଷ୍ଟ କ୍ଲାସ କ୍ରିକେଟ ଖେଳିଥିବା ବର୍ଡଙ୍କ ମୃତ୍ୟୁ ଖବର କାଉଣ୍ଟି କ୍ଲବ ପକ୍ଷରୁ ପ୍ରକାଶ ପାଇଛି। ଯର୍କଶାୟାର ଏକ ବିବୃତିରେ କହିଛି, “ଯର୍କଶାୟାର କାଉଣ୍ଟି କ୍ରିକେଟ କ୍ଲବ ଅତ୍ୟନ୍ତ ଦୁଃଖର ସହ ଜଣାଉଛି ଯେ କ୍ରିକେଟ ଜଗତର ଅତି ପ୍ରିୟ ବ୍ୟକ୍ତିତ୍ୱ ହାରୋଲ୍ଡ ଡେନିସ ‘ଡିକି’ ବର୍ଡଙ୍କର ଦେହାନ୍ତ ହୋଇଛି।”
୧୯୩୩ ଏପ୍ରିଲ ୧୯ରେ ଇଂଲଣ୍ଡର ଯର୍କଶାୟାର କାଉଣ୍ଟିର ବାର୍ନସ୍ଲେରେ ଜନ୍ମଗ୍ରହଣ କରିଥିବା ବର୍ଡଙ୍କ ପୂର୍ଣ୍ଣ ନାମ ଥିଲା ହାରୋଲ୍ଡ ଡେନିସ ବର୍ଡ, କିନ୍ତୁ ସେ ସାରା ବିଶ୍ୱରେ ‘ଡିକି ବର୍ଡ’ ନାମରେ ପରିଚିତ ଥିଲେ। ସେ ଯର୍କଶାୟାର ସହିତ ନିଜର ଫାର୍ଷ୍ଟ କ୍ଲାସ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ, କିନ୍ତୁ ଏଥିରେ ତାଙ୍କୁ ବିଶେଷ ସଫଳତା ମିଳି ନ ଥିଲା। ଶେଷରେ ମାତ୍ର ୩୨ ବର୍ଷ ବୟସରେ ସେ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। କିନ୍ତୁ ସେ ଅମ୍ପାୟାରିଂ କରିବା ପରେ ଭାଗ୍ୟ ବଦଳିଯାଇଥିଲା। ମାତ୍ର ୩୭ ବର୍ଷ ବୟସରେ ୧୯୭୦ରେ ସେ ପ୍ରଥମ ଥର ପାଇଁ କାଉଣ୍ଟି ଚାମ୍ପିୟନଶିପ ମ୍ୟାଚରେ ଅମ୍ପାୟାରିଂ କରିଥିଲେ ଏବଂ ଏହାପରେ ଅଳ୍ପ ସମୟରେ ସେ ଟେଷ୍ଟ କ୍ରିକେଟରେ ମଧ୍ୟ ଅମ୍ପାୟାରିଂ ଆରମ୍ଭ କରିଥିଲେ। ୧୯୭୩ରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଲିଡ୍ସରେ ହୋଇଥିବା ଟେଷ୍ଟ ମ୍ୟାଚରେ ତାଙ୍କର ଟେଷ୍ଟ ଅମ୍ପାୟାରିଂ କ୍ୟାରିୟର ଆରମ୍ଭ ହୋଇଥିଲା ଏବଂ ୧୯୯୬ ପର୍ଯ୍ୟନ୍ତ ସେ ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଅମ୍ପାୟାର ହୋଇଯାଇଥିଲେ।
୧୯୯୬ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଲର୍ଡସରେ ହୋଇଥିବା ଟେଷ୍ଟ ମ୍ୟାଚରେ ସେ ଶେଷ ଥର ପାଇଁ ଅମ୍ପାୟାରିଂ କରିଥିଲେ। ଏହି ସମୟରେ ଉଭୟ ଦଳ ତାଙ୍କୁ ‘ଗାର୍ଡ ଅଫ ଅନର’ ପ୍ରଦାନ କରିଥିଲେ।ଡିକି ବର୍ଡ ପ୍ରଥମ ଅମ୍ପାୟାର ଥିଲେ, ଯିଏ ୩ଟି ବିଶ୍ୱକପ ଫାଇନାଲରେ ଅମ୍ପାୟାରିଂ କରିଥିଲେ। ସେ ୧୯୭୫, ୧୯୭୯ ଓ ୧୯୮୩ରେ ଖେଳାଯାଇଥିବା ପ୍ରଥମ ୩ଟି ବିଶ୍ୱକପ ଫାଇନାଲରେ ଅମ୍ପାୟାର ଥିଲେ। ତାଙ୍କର ଶେଷ ବିଶ୍ୱକପ ଫାଇନାଲ (୧୯୮୩)ରେ କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ ଦଳ ଦୁଇଥରର ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜକୁ ହରାଇ ପ୍ରଥମ ଥର ପାଇଁ ବିଶ୍ୱକପ ଟ୍ରଫି ଜିତିଥିଲା। ଡିକି ବର୍ଡ ମୋଟ ୬୬ଟି ଟେଷ୍ଟ ଓ ୬୯ଟି ଦିନିକିଆ ମ୍ୟାଚରେ ଅମ୍ପାୟାରିଂ କରିଥିଲେ ଏବଂ ଏହି ସମୟରେ ସେ ସବୁଠାରୁ ଉତ୍କୃଷ୍ଟ, ସଫଳ ଓ ଲୋକପ୍ରିୟ ଅମ୍ପାୟାର ଭାବେ ପରିଚିତ ହୋଇଥିଲେ।
All Right Reserved By Dharitri.Com