ସୁନ୍ଦରଗଡ,୨୯ା୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ର ଭିଜିଲାନ୍ସ କୋର୍ଟ ଗୁରୁବାର ଏକ ଲାଞ୍ଚ ମାମଲାର ରାୟ ପ୍ରକାଶ କରିଛି। ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍ ଲାଞ୍ଚ ମାମଲାର ଶୁଣାଣି କରି ରାଉରକେଲା ପୌରପାଳିକାର ପୂର୍ବତନ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକଙ୍କୁ ୨ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୫ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୨ମାସ ସଶ୍ରମ ଜେଲଦଣ୍ଡ ଭୋଗିବା ପାଇଁ ଅଦାଲତ ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧାର ରାମନାଥ ଦାସ (୭୫)।
ରାମନାଥ ଦାସ ୧୯୯୯-୨୦୦୧ରେ ରାଉରକେଲା ପୌରପାଳିକା ଅଧୀନରେ କାର୍ଯ୍ୟ କରୁଥିବା ଦିନ ମଜୁରିଆଙ୍କ ମାଷ୍ଟର ରୋଲ ଜାଲ କରିବା ପାଇଁ ଲାଞ୍ଚ ନେଇଥିଲେ। ଏହି ମାମଲାରେ ଆଇପିସି ଦଫା ୪୭୭-କ ଅନୁଯାୟୀ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ରାଉରକେଲା ଭିଜିଲାନ୍ସ ୟୁନିଟର ପୂର୍ବତନ ଇନ୍ସପେକ୍ଟର ଆରକେ କାନୁନ୍ଗୋ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ। ସୁନ୍ଦରଗଡ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଶ୍ୟାମ ସୁନ୍ଦର ମିଶ୍ର ଓ ଉଦିତ ବାଟୁଶର୍ମା ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ। ସନ୍ଦୀପ ପଣ୍ଡା, ସହାୟକ ପି.ପି. (କ୍ୟାଡର) ଭିଜିଲାନ୍ସ ପକ୍ଷରୁ ସହାୟତା କରିଥିଲେ।

