ଲକ୍ଷ୍ନୌ,୨୧।୧୦: ଉତ୍ତରପ୍ରଦେଶ ରାଜନୀତିରେ ନିର୍ବାଚନୀ ଉଷ୍ମତା ମଧ୍ୟରେ ଭାଜପାକୁ ଆଉ ଏକ ଝଟ୍କା ଲାଗିଛି । ବଦାୟୁଁ ଜିଲାର ବିସୌଲି ବିଧାନସଭା ଆସନର ପୂର୍ବତନ ବିଧାୟକ କୁଶାଗ୍ର ସାଗର ଭାଜପା ଛାଡ଼ିଛନ୍ତି । ଅକ୍ଟୋବର ୨୧ ତାରିଖରେ ସେ ଦଳର ପ୍ରାଥମିକ ସଦସ୍ୟତା ସହ ସମସ୍ତ ଦାୟିତ୍ୱରୁ ଇସ୍ତଫା ଦେବା ଘୋଷଣା କରିଛନ୍ତି। ଦଳ ଛାଡ଼ିବା ପରେ ସେ ଫେସ୍ବୁକ୍ରେ ଏକ ଭାବପ୍ରବଣ ପୋଷ୍ଟ ଲେଖି ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି।
କୁଶାଗ୍ର ସାଗର ନିଜ ଫେସ୍ବୁକ୍ ପୋଷ୍ଟରେ ଲେଖିଛନ୍ତି ଯେ, କୌଣସି ସଂଗଠନ ସହ ୧୧ ବର୍ଷ ଧରି ନିଷ୍ଠା, ସମର୍ପଣ ଓ ସଚ୍ଚୋଟତାର ସହ ଜଡ଼ିତ ରହିବା କେବଳ ଏକ ରାଜନୈତିକ ସମ୍ପର୍କ ନୁହେଁ, ବରଂ ଏକ ଭାବନାତ୍ମକ ସମ୍ପର୍କ। ସେ ପ୍ରତ୍ୟେକ ପରିସ୍ଥିତିରେ ସଂଗଠନକୁ ନିଜ ପରିବାର ଭାବି କାମ କରିଥିଲେ । ନିଜର ଶତପ୍ରତିଶତ ଅବଦାନ ଦେଇଥିଲେ ମଧ୍ୟ ତାଙ୍କୁ ଆଶାନୁରୂପ ସମ୍ମାନ ଓ ଆତ୍ମୀୟତା ମିଳିନଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁସାରେ, ଏହି ଯନ୍ତ୍ରଣା କୌଣସି ପଦବୀ କିମ୍ବା ପ୍ରତିଷ୍ଠା ନମିଳିବାକୁ ନେଇ ନୁହେଁ, ବରଂ ବର୍ଷ ବର୍ଷ ଧରି ମନରେ ସାଇତି ରଖିଥିବା ସମ୍ମାନ ଓ ବିଶ୍ୱାସ ଭାଙ୍ଗିଯିବାକୁ ନେଇ । ତେବେ ଦଳରେ ମିଳିଥିବା ସୁଯୋଗ ଓ ଅନୁଭୂତି ପାଇଁ ସେ କୃତଜ୍ଞତା ମଧ୍ୟ ଜଣାଇଛନ୍ତି।
କୁଶାଗ୍ର ସାଗର ଉତ୍ତରପ୍ରଦେଶର ବଦାୟୁଁ ଜିଲାର ଜଣେ ପରିଚିତ ଯୁବ ରାଜନୈତିକ ଚେହେରା। ସେ ପୂର୍ବତନ ବିଧାୟକ ଯୋଗେନ୍ଦ୍ର ସାଗରଙ୍କ ପୁଅ। ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସେ ଭାଜପା ଟିକେଟ୍ରେ ବିସୌଲି ସଂରକ୍ଷିତ ଆସନରୁ ବିଜୟୀ ହୋଇଥିଲେ । ୨୦୨୨ ନିର୍ବାଚନରେ ମଧ୍ୟ ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା, କିନ୍ତୁ ସେ ସାମାନ୍ୟ ବ୍ୟବଧାନରେ ପରାଜିତ ହୋଇଥିଲେ।
ନିକଟରେ ଆଁୱଲାର ପୂର୍ବତନ ସାଂସଦ ଧର୍ମେନ୍ଦ୍ର କଶ୍ୟପ ଭାଜପା ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ। ଏବେ କୁଶାଗ୍ର ସାଗରଙ୍କ ଇସ୍ତଫାକୁ ରୁହେଲଖଣ୍ଡ ଅଞ୍ଚଳରେ ଭାଜପା ପାଇଁ ଆଉ ଏକ ଝଟ୍କା ଭାବେ ଦେଖାଯାଉଛି। କୁଶାଗ୍ର ସାଗର ମଧ୍ୟ ସମାଜବାଦୀ ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ତେବେ ଏନେଇ ତାଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇଥିବା ସୂଚନା ନାହିଁ। ତାଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ରହିଛି।