କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝି

ଭବାନୀପାଟଣା,୨୪ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପୂର୍ବତନ ମନ୍ତ୍ରୀ ତଥା ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝି ବୁଧବାର ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଭବାନୀପାଟଣା ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ସମର୍ଥକଙ୍କ ସହ ବଳଭଦ୍ର ଶଙ୍ଖ ଛାଡ଼ି ହାତ ଧରିଛନ୍ତି। ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଭାରୀ ଅଜୟ କୁମାର, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ, ବିଧାୟକ ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ ଓ ତାରା ପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ। ନିଜ ଅଞ୍ଚଳର ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେ କଂଗ୍ରେସରେ ସାମିଲ ହୋଇଥିବା କହିଛନ୍ତି ବଳଭଦ୍ର।

ସୂଚନାଯୋଗ୍ୟ, ଗତ ଜାନୁଆରୀ ୮ରେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ବିଜେଡିର ପୂର୍ବତନ ବିଧାୟକ ବଳଭଦ୍ର ମାଝି। ସେ ତାଙ୍କର ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ।

ପ୍ରକାଶ ଯେ, ଲଗାତାର ଭାବରେ ୧୯୯୦ରୁ ବଳଭଦ୍ର ଲାଞ୍ଜିଗଡ଼ ବିଧାନସଭାରୁ ୫ଥର ନିର୍ବାଚିତ ହୋଇଥିଲେ। ହେଲେ ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇ ନ ଥିଲା। ଟିକେଟ୍‌ କଟିବା ପରେ କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତା’ପରେ ବି ସେ ବିଜେଡିରେ ସକ୍ରିୟ ଥିଲେ। ହେଲେ ଦଳରେ ଅବହେଳାର ଶିକାର ହୋଇଥିବା କାରଣରୁ ବଳଭଦ୍ର ବିଜେଡିରୁ ଇସ୍ତଫା ଦେଇଥିଲେ।