କର୍ଲାମୁଣ୍ଡା,୨୬।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉତ୍କଳମଣି ସାହୁଙ୍କ ବୁଧବାର ଭୋର ପ୍ରାୟ ୪ଟା ସମୟରେ ୭୫ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବାବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ରହିଥିଲା। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ କର୍ଲାମୁଣ୍ଡା ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଏକ ମାତ୍ର ପୁତ୍ର ଖୋଜ କୁମାର ସାହୁ ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ସମୟରେ ପରିବାର ବନ୍ଧୁ ବର୍ଗ ଉପସ୍ଥିତ ଥିଲେ। ସ୍ବର୍ଗତ ଉତ୍କଳମଣି ସାହୁ ଜଣେ ଅଭିଜ୍ଞ ଜନପ୍ରତିନିଧି ଭାବେ ଅଞ୍ଚଳରେ ପରିଚିତ ଥିଲେ। ୧୯୭୨ ମସିହାରେ ବ୍ଲକ ସଦର ଏମଇ ସ୍କୁଲରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଜନ ସେବା କରିବା ଉଦ୍ଦେଶ୍ୟ ସରକାରୀ ଚାକିରୀ ଛାଡ଼ି ୧୯୮୪ରୁ ୧୯୮୯ ଏବଂ ୧୯୯୭ରୁ ୨୦୦୨ ପର୍ଯ୍ୟନ୍ତ ଦୁଇ ଥର କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହା ବ୍ୟତୀତ ଜିଲାର ବିଭିନ୍ନ ସଙ୍ଗଠନ ସହିତ ଜଡିତ ହୋଇ ଲୋକଙ୍କ ବିଶ୍ୱାସ ଭାଜନ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକବ୍ୟକ୍ତ କରାଯାଇ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଯାଇଛି।