ଭାଜପାରେ ମିଶୁମିଶୁ ନିହାରଙ୍କୁ ମିଳିଗଲା ଦଳୀୟ ଟିକେଟ

ବରଗଡ଼,୨।୩(ପ୍ରେମାନନ୍ଦ ଖମାରୀ): ଦଳକୁ ନବାଗତ ପୂର୍ବତନ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ଉପରେ ଭାଜପା ଭରସା ରଖିଛି। ଦଳର ପୁରୁଖା ନେତା ଏବଂ ଆଶାୟୀଙ୍କୁ ବାଦ ଦେଇ ଭାଜପା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିହାରଙ୍କୁ ଦଳୀୟ ପ୍ରାର୍ଥୀଭାବେ ଘୋଷଣା କରିଛି। କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରି ନ ଥିବାବେଳେ ଏଥର ପୁଣି ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ଏବଂ ଭାଜପା ପ୍ରାର୍ଥୀ ନିହାରଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି।
ନିର୍ବାଚନୀ ମଇଦାନରେ ସ୍ନେହାଙ୍ଗିନୀ ଏବଂ ନିହାର ମୁହାଁମୁହିଁ ହେବା ନୂଆଁ ନୁହେଁ। ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ହେବା ପରେ ଗତ ୨୦୦୯ ସାଧାରଣ ନିର୍ବାଚନରେ କଂଗ୍ରେସରୁ ପ୍ରତିଦ୍ବନ୍ଦିତା କରି ନିହାର ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀଙ୍କୁ ପରାସ୍ତ କରିଥିଲେ। ମାତ୍ର ଏହାର ପରବର୍ତ୍ତୀ ୨ଟି ସାଧାରଣ ନିର୍ବାଚନରେ କଂଗ୍ରେସରୁ ଲଢି ନିହାର ଆଉ ବିଜୟର ସ୍ବାଦ ଚାଖି ପାରି ନ ଥିଲେ। ଅନ୍ୟପଟେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ସେହି ୨ ସାଧାରଣ ନିର୍ବାଚନରେ ବିଜୟୀ ହୋଇ ଆସନ୍ତା ସାଧାରଣ ର୍ନିବାଚନରେ ହ୍ୟାଟ୍ରିକ ବିଜୟ ହାସଲ ପାଇଁ ଆଶାବାଦୀ ଅଛନ୍ତି। ସେହିପରି ଦଳରେ ମିଶୁମିଶୁ ତାଙ୍କ ପ୍ରତି ଦଳୀୟ ନେତୃବୃନ୍ଦ ଆସ୍ଥା ପ୍ରକଟ କରି ଦଳୀୟ ଟିକେଟ ଦେଇଥିବା ଯୋଗୁ ଏଭଳି ସୁଯୋଗକୁ ହାତଛଡ଼ା ନ କରି ନିର୍ବାଚନୀ ମଇଦାନକୁ ଓହ୍ଲାଇ ଏହି ନିର୍ବାଚନ ମଣ୍ଡଳୀରେ ଭାଜପାର ଖାତା ଖୋଲିବା ସହିତ ବିଗତ ସାଧାରଣ ନିର୍ବାଚନରେ ପରାଜୟର ପ୍ରତିଶୋଧ ନେବା ପାଇଁ ଦଳରେ ଯୋଗଦାନ ପରଠାରୁ ପୂରାଦମରେ ଲାଗି ପଡିଥିବା ପରିଲକ୍ଷିତ ହେଉଛି।
ଏଠାରେ ଉଲ୍ଲେଖନୀୟ, ଗତ କିଛିମାସ ତଳେ ଜିଲା କଂଗ୍ରେସ ସଭାପତି ପଦରୁ ହଟାଯିବା ପରେ ନିହାର ଭାଜପାରେ ଯୋଗଦାନ କରିଥିଲେ। ସେହିଦିନଠାରୁ ସେ ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାରୁ ଦଳୀୟ ଟିକେଟ ପାଇବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା।